ଓଡିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିରେ ଗାର କି ?? ନା ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ବିଭାଗୀୟ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଅଣଦେଖା ??

ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲିଲା ତାଲା, ଯଥା ଶୀଘ୍ର ଖୋଲିବାକୁ ସାଧାରଣରେ ଦାବୀ...

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ବା ପ୍ରସାର ଏବଂ ଲୋକସମ୍ପର୍କ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟ କରିଥାଏ । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଫେବୃୟାରୀ ଆରମ୍ଭରୁ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଉକ୍ତ କାର୍ଯ୍ୟାଳୟଟି ୧୯୮୦ ମସିହାରେ ୬ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟାଳୟର କାର୍ଯ୍ୟ ଥିଲା ସରକାରୀ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ନିକଟରେ ପରଦା ମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା । ଏଥିପାଇଁ ରେଡିଓ ଇନସ୍ପେକ୍ଟର ଓ ଅପରେଟର ନିଯୁକ୍ତି ହୋଇଥିବା ବେଳେ ଏହା ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ତତ ପରେ ବିଭିନ୍ନ କାରଣ ବଶତଃ ଏହି କାର୍ଯ୍ୟାଳୟରୁ ଚାରିଜଣ ସରକାରୀ କର୍ମଚାରୀ ଚାଲିଯିବା ପରେ ଜଣେ ଲାଇବ୍ରେରିୟାନ ଓ ଅନ୍ୟଜଣେ କର୍ମଚାରୀଙ୍କ ଦ୍ୱାରା ବହୁ ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଚାଲିଥିଲା । କିଛି ଦିନ ପାଇଁ ଜଣେ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ମଧ୍ୟ ପାଇ ଥିଲେ । ତାଙ୍କର ବଦଳି ହୋଇଯିବା ପରେ ପୁଣି ଦୁଇଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିଥିଲା ।ପରବର୍ତ୍ତୀ ସମୟରେ ପ୍ରାୟ ଦେଢ ବର୍ଷ ହେଲା ଲାଇବ୍ରେରିଆନଙ୍କ ପଦୋନ୍ନତି ହୋଇଯିବା ପରେ ତାଙ୍କୁ ଫୁଲବାଣୀ ବଦଳି ହୋଇଯାଇଥିଲା । ଉକ୍ତ ଦିନ ଠାରୁ ଜଣେ ତଳିଆ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟାଳୟ ସୁରୁଖୁରୁ ରେ ଚାଲିଥିବା ବେଳେ ବ୍ୟକ୍ତିଗତ ଅସୁବିଧା ଯୋଗୁଁ ସେ କର୍ମଚାରୀ ମଧ୍ୟ ସ୍ବେଛାକୃତ ଅବସର ପାଇଁ ଆବେଦନ କରିଥିଲେ । ତାଙ୍କର ସ୍ବେଚ୍ଛାକୃତ ଅବସର ଗ୍ରହଣଯୋଗ୍ୟ ହୋଇ ଗତ ଜାନୁଆରୀ ୩୧ ତାରିଖରେ ତାଙ୍କୁ ଅବସର ଦିଆଯାଇଥିଲା । ସୂଚନା ଥାଉକି, ଘୁ.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ଅଞ୍ଚଳ ଏହି କାର୍ଯ୍ୟାଳୟ ଅନ୍ତର୍ଗତ ହୋଇଥିବା ବେଳେ ଫେବୃୟାରୀ ମାସ ଆରମ୍ଭରୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ଯାହାକି ଅଞ୍ଚଳ ବାସୀଙ୍କ ପାଇଁ ଦୁର୍ଭାଗ୍ୟ ଜନକ ଘଟଣା । ଗତ ୮/୦୧/୨୦୨୩ ତାରିଖରେ ସିର୍କୀ ଇକୋ ପାର୍କ ଉଦଘାଟନି ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବିଭାଗୀୟ ମନ୍ତ୍ରୀ, କନ୍ଧମାଳ ସାଂସଦ ଓ ବାଚସ୍ପତିଙ୍କୁ ଉକ୍ତ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି କରି କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏକ ଦାବିପତ୍ର ପ୍ରଦାନ ଥିଲେ I ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ( ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଷ, ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ) ଯଥାଶୀଘ୍ର କର୍ମଚାରୀଙ୍କୁ ନିଯୁକ୍ତି କରି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ବିଭାଗୀୟ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଧେଶ ଦେଇ ଥିଲେ I ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଧେଶ ପରେ ଘୁ.ଉଦୟଗିରି ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା କାର୍ଯ୍ୟାଳୟରେ କର୍ମଚାରୀ ଶୂନ୍ୟ ହୋଇ ତାଲା ପଡିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ବିଭାଗୀୟ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଅଣଦେଖା କି ?? ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି I ହେଲେ ସେହି ପ୍ରତିଶ୍ରୁତି ବର୍ତ୍ତମାନ ସୁଦ୍ଧା ପ୍ରତିଶ୍ରୁତିରେ ରହି ଥିବା ଦେଖା ଦେଇଛି I ତେଣୁ ଏହି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ପର୍ଯ୍ୟାପ୍ତ ପରିମାଣରେ ସରକାରୀ କର୍ମଚାରୀ ନିଯୁକ୍ତି କରି ତୁରନ୍ତ ଖୋଲିବା ପାଇଁ ସାଧାରଣରେ ଦାବୀ ଉଠିବା ସହ ଏହି ୪ଟି ବ୍ଲକର ଗଣମାଧ୍ୟମ ପ୍ରତିନିଧି ଦାବୀ କରିଛନ୍ତି I