ହିଞ୍ଜିଳିକାଟୁ(ରାକେଶ ପାଢ଼ୀ): ବିଗତ ବର୍ଷ ୧୯୯୯ ମସିହା ଠାରୁ ଆରମ୍ଭ କରି ଏଯାବତ୍ ପ୍ରାୟ ପ୍ରତିବର୍ଷ ଗଞ୍ଜାମ ଜିଲ୍ଲାକୁ ବନ୍ୟା ଓ ବାତ୍ୟା ମାଡି ଆସୁଛି । ପୂର୍ବ ବର୍ଷ ଗୁଡିକରେ ହୋଇଥିବା ବନ୍ୟା ଓ ବାତ୍ୟାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଯାବତ୍ ଚାଷୀଙ୍କ ଲୁହ ଶୁଖିନଥିବା ବେଳେ ଚଳିତ ବର୍ଷ ୨ଟି ଲେଖାଏଁ ସାମ୍ଭାବ୍ୟ ବାତ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ସାମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଓ ଆକଭନ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ ହୋଇପଡିଥିଲା । କଷ୍ଟେ ମଷ୍ଟେ ଚାଷୀ ତାର ଚାଷ ଜମିକୁ ସୁରକ୍ଷା କରିଥିଲା । ହେଲେ ଅକ୍ଟୋବର ଓ ନଭେମ୍ବର ମାସରେ ଦେଖା ଦେଇଥିବା ସାମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଓ ଆକଭାନ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଚାଷୀ ତାର ସର୍ବସ୍ୱ ହରାଇ ଚିନ୍ତାରେ ରହିଛି । ବାତ୍ୟା ଅର୍ଣ୍ଣବ ଓ ଆକଭାନରେ ଚାଷୀଙ୍କ ଅନ୍ନ ସମ୍ପୁର୍ଣ୍ଣ ଭାବେ ନଷ୍ଟ କରିଦେଇଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡିଛି । ଚଳିତ ବର୍ଷ ମୌସୁମୀ ଠିକ୍ ସମୟରେ ଆସିଥିବାରୁ ଚାଷୀର ମନ କୁଣ୍ଢେମୋଟ ହୋଇଯାଇଥିଲି । ଭଲ ଫସଲ ଅମଳ ହେବ। ଚାଷଜମିରେ ସବୁଜ ଧାନଗଛ ଦେଖି ଚାଷୀ ବେଶ୍ ଖୁସି ହୋଇ ପଡିଥିଲା । ଭଲ ଫସଲ ଅମଳ ହେବା ସହ ଚଳିତ ବର୍ଷ ଅଧିକ କିଛି ଅର୍ଥ ସଞ୍ଚୟ କରିବା ଆଶାରେ ରହିଥିଲା । ହେଲେ ବିଧିର ବିଧାନ ବଡ ବିଚିତ୍ର । ଚାଷୀଙ୍କ ଆଶା ଆଶାରେ ହିଁ ରହିଗଲା । ବାତ୍ୟା ଅକଭାନ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଚାଷଜମି ସମ୍ପୁର୍ଣ୍ଣ ଜଳମଗ୍ନ ହୋଇପଡିଛି । ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଉପୁଜାଇଥିବା ଫସଲ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହେବା ସହ ଚାଷୀର ବର୍ଷକର ଭାତହାଣ୍ଡି ନଷ୍ଟ ହୋଇଯାଇଛି । କିଛି ଚାଷୀ ଧାର କରଜ କରି ତ ଆଉ କିଛି ଚାଷୀ ବ୍ୟାଙ୍କରୁ ଟଙ୍କା ସୁଧ ଆଣି ଫସଲ ଉପୁଜାଇଥିଲେ । ହେଲେ ସାମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚଳିତ ବର୍ଷ ଖରିଫ ଋତୁରେ ହିଞ୍ଜିଳିକାଟୁ ବ୍ଳକର ୧୦ ହଜାର ୮୬୨ ହେକ୍ଟର ଚାଷଜମିରେ ଚାଷୀ ଧାନ ଚାଷ କରିଥିଲା । ଲଗାଣ ବର୍ଷା ପ୍ରଭାବରେ ସ୍ଥାନୀୟ ବ୍ଳକର ୮ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଧାନ ଚାଷଜମି ଜଳମଗ୍ନ ହୋଇପଡିଛି । ସେହିପରି ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ଭାବେ ପରିଚିତ ହିଞ୍ଜିଳିକାଟୁ ବ୍ଲକ୍ ବୁରୁପଡା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଆଲପୁର, ଖରିଡା, ଶାସନଆମ୍ବଗାଁ, ଖରିଡା ବାଦିଆମ୍ବଗାଁ ଅଞ୍ଚଳରେ ହଜାର ହଜାର ହେକ୍ଟର ପନିପରିବା ଚାଷଜମି ଜଳମଗ୍ନ ହୋଇପଡିଛି । ଫଳରେ ପରିବା ଚାଷଜମି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ହିଞ୍ଜିଳିକାଟୁ ବ୍ଲକର ବୁରୁପଡା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଆଲପୁର, ଖରିଡା, ଶାସନଆମ୍ବଗାଁ, ଖରିଡା ବାଦିଆମ୍ବଗାଁ, କଞ୍ଚୁରୁ, ସମରଝୋଳ, ସାରୁ, ମକରଝୋଳ, ଦୁର୍ବନ୍ଧ, ଦାରୁଭଦ୍ରା, ଚୈତନ୍ୟପଡା, ଗୋପିନାଥପୁର, ବଡଖଣ୍ଡି, ପୋଚିଲିମା ଅଞ୍ଚଳର ଧାନ ଚାଷ ଜମି ସମ୍ପୁର୍ଣ୍ଣ ଜଳମଗ୍ନ ହୋଇପଡିଛି । ଧାନ ଗଛରେ ପାଚିଲା ଧାନକେଣ୍ଡା ଝୁଲି ରହିଥିଲା । ଆଉ ମାତ୍ର କିଛି ଦିନ ପରେ ଚାଷୀ ଅମଳ ଫସଲ କାଟି ଘରକୁ ଆଣି ଋଣ, କରଜ ପରିଶୋଧ କରିବା ପାଇଁ ଆଶା ବାନ୍ଧିଥିବା ବେଳେ ଚାଷୀଙ୍କ ଆଶା ଆଶାରେ ହିଁ ରହିଗଲା । ଏହି ପରିପ୍ରେକ୍ଷୀରେ ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ଫସଲ ବୀମା ଓ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି ।