ଭଞ୍ଜନଗର(ନିଲୁ ବିଷୋୟୀ): ଓଡ଼ିଆ ଧାର୍ମିକ ପରମ୍ପରାରେ କାର୍ତ୍ତିକ ମାସକୁ ଅତ୍ୟନ୍ତ ପବିତ୍ର ମାସ ଭାବେ ଗ୍ରହଣ କରାଯାଏ । ଏହି ମାସରେ ଶ୍ରଦ୍ଧାଳୁମାନେ ବ୍ରତ, ଉପବାସ ଓ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରତିଦିନ ସନ୍ଧ୍ୟାରେ ଆକାଶ ଦୀପ ଜଳାଇ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥାନ୍ତି । ଏହି ପବିତ୍ର ମାସରେ ମହାପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଏହି ଧାର୍ମିକ ମାହୋଲ ମଧ୍ୟରେ ଭଞ୍ଜନଗର ସହରର ଭେଜିପୁଟ ବଡ଼ଦାଣ୍ଡ ସାହିରେ ଚଳିତ ବର୍ଷ ମହାସମାରୋହରେ ପାଳନ ହେଉଛି କାର୍ତ୍ତିକେଶ୍ୱର ପୂଜା । ଚଳିତ ବର୍ଷ ଏହି ପୂଜା ୫ ବର୍ଷରେ ପଦାର୍ପଣ କରିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅଧିକ ଉତ୍ସାହ, ଭକ୍ତି ଓ ଆନନ୍ଦ ଦେଖିବାକୁ ମିଳୁଛି । ପୂଜାକୁ ନେଇ ସାହିରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ଶୁକ୍ରବାର ଭୋର୍ରୁ ବିଭିନ୍ନ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ ଆଦି ଆୟୋଜିତ ହୋଇଥିଲା । ପୂଜାର କର୍ତ୍ତା ଭାବେ ଭରତ ସ୍ୱାଇଁ ଦାୟିତ୍ୱ ତୁଲାଇଥିବା ବେଳେ ପୂଜାର ସମସ୍ତ ବିଧିବିଧାନ ଶ୍ରଦ୍ଧା ଓ ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ଘଣ୍ଟ, ଶଙ୍ଖ ଧ୍ୱନି ଓ ଭକ୍ତିମୟ ପରିବେଶ ସାହିକୁ ଆଧ୍ୟାତ୍ମିକତାରେ ଭରି ଦେଉଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପୂଜା ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଚାଲୁ ରହିବା ପରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ୨୨ ତାରିଖ ରବିବାର ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏହି ଆୟୋଜନ ଭକ୍ତି ସହ ଭାଇଚାରା, ସାମାଜିକ ସଦଭାବ ଓ ସାହିବାସୀଙ୍କ ଏକତାକୁ ଆହୁରି ମଜବୁତ କରିବ । ପୂଜାର ସୁପରିଚାଳନା ପାଇଁ ସଭାପତି ଶିବ ଶଙ୍କର ପାତ୍ର, ସମ୍ପାଦକ ଅନନ୍ତ ନାରାୟଣ ବିଷୋୟୀ, କୋଷାଧ୍ୟକ୍ଷ ଅଜିତ କୁମାର ବିଷୋୟୀଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଓ ଭେଜିପୁଟ ଗ୍ରାମବାସୀ ସକ୍ରିୟ ଭାବେ ସହଯୋଗ କରୁଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ପୂଜା ଧାର୍ମିକ ଭାବନା ସହ ସାହିବାସୀଙ୍କ ଏକତା ଓ ସଂସ୍କୃତିର ପ୍ରତୀକ ଭାବେ ଆଗକୁ ବଢ଼ି ଚାଲିଛି ।