ଅଲ୍ଟ୍ରାସାଉଣ୍ଡ ମେସିନ୍ ସ୍ଥାପନ ସହ ଖାଲି ବିଶେଷଜ୍ଞ ପଦବୀ ପୂରଣ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ନିୟମିତ ସେବା ଦାବିରେ ସିଡିଏମ୍‌ଓଙ୍କୁ ଭେଟିଲେ ଘୁ.ଉଦୟଗିରିବାସୀ…

ଅନୁସନ୍ଧାନ ଭାରତ(ବ୍ୟୁର): ଉନ୍ନତ ସ୍ୱାସ୍ଥ୍ୟ ସେବା ଆମର ଅଧିକାର, ଏହା କୌଣସି ବିଳାସପୂର୍ଣ୍ଣ ସୁବିଧା ନୁହେଁ । ନିଜ ଅଞ୍ଚଳରେ ଉତ୍ତମ ଓ ନିରାପଦ ଚିକିତ୍ସାସେବା ପାଇବା ଦାବିରେ ଆଜି ଘୁ.ଉଦୟଗିରି ଅଞ୍ଚଳବାସୀ ଫୁଲବାଣୀ ସ୍ଥିତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ରଙ୍କୁ ସାକ୍ଷାତ କରି ବିଭିନ୍ନ ସ୍ୱାସ୍ଥ୍ୟସେବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘୁ.ଉଦୟଗିରି ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ । ମାତ୍ର ଆବଶ୍ୟକୀୟ ଚିକିତ୍ସା ଉପକରଣର ଅଭାବ ଓ ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବାରୁ ସାଧାରଣ ଲୋକେ ଉନ୍ନତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ବିଶେଷକରି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡ ମେସିନ୍ ନଥିବାରୁ ସେମାନଙ୍କୁ ଅନ୍ୟ ସ୍ଥାନକୁ ଯାଇ ଅଧିକ ଅର୍ଥ ଓ ସମୟ ଖର୍ଚ୍ଚ କରିବାକୁ ପଡ଼ୁଛି । ଏହାଦ୍ୱାରା ଗରିବ ଓ ଅସହାୟ ପରିବାର ବିଶେଷ ଭାବେ ଆର୍ଥିକ ଓ ଶାରୀରିକ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ଅଲ୍ଟ୍ରାସାଉଣ୍ଡ ମେସିନ୍ ଯୋଗାଇବା ସହ ସୁରକ୍ଷିତ ପ୍ରସବ ପାଇଁ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇବାକୁ ଦାବି କରାଯାଇଛି । ସେହିପରି ଦୀର୍ଘଦିନ ଧରି ଶିଶୁ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଓ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବାରୁ ରୋଗୀମାନେ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ସମସ୍ତ ଖାଲି ପଦବୀରେ ତୁରନ୍ତ ଯୋଗ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ, ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତର ଶ୍ରୀ ପଙ୍କଜ କୁମାର ବିହାରୀଙ୍କ ନିଯୁକ୍ତି ଓ ସେବା ପ୍ରଦାନ ପାଇଁ ଅଞ୍ଚଳବାସୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି । ତେବେ ବର୍ତ୍ତମାନ ସପ୍ତାହରେ ମାତ୍ର ୩ ଦିନ ତାଙ୍କ ସେବା ଉପଲବ୍ଧ ହେଉଥିବାରୁ ଏହାକୁ ସମସ୍ତ କାର୍ଯ୍ୟଦିବସରେ ନିୟମିତ କରିବାକୁ ଦାବି କରିଛନ୍ତି । ଜଣେ ବିଶେଷଜ୍ଞ ଡାକ୍ତରଙ୍କ ଉପସ୍ଥିତି ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ପାଇଁ ଅତ୍ୟନ୍ତ ଆଶ୍ୱସ୍ତିଦାୟକ ହୋଇଥିବାରୁ ତାଙ୍କ ସେବାରୁ ଅଞ୍ଚଳବାସୀ ନିୟମିତ ଭାବେ ଉପକୃତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଗର୍ଭବତୀ ମହିଳା, ନବଜାତ ଶିଶୁ, ବୃଦ୍ଧବୃଦ୍ଧା ଓ ଗରିବ ପରିବାରଙ୍କୁ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବା ଦୁଃଖଦ ବିଷୟ । ସ୍ୱାସ୍ଥ୍ୟସେବା ପାଇବା ପାଇଁ କେହି ଯେପରି ଆର୍ଥିକ ଅସୁବିଧା କିମ୍ବା ଦୂରତା ଯୋଗୁଁ ହଇରାଣ ନହୁଅନ୍ତି, ସେଥିପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ସୁବିଧା ଓ ବିଶେଷଜ୍ଞ ଡାକ୍ତରଙ୍କ ସେବା ସୁନିଶ୍ଚିତ ହେବା ଜରୁରୀ ।
<span;>ତେଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଦାବି ଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଅଲ୍ଟ୍ରାସାଉଣ୍ଡ ମେସିନ୍ ଯୋଗାଣ, ଖାଲି ବିଶେଷଜ୍ଞ ପଦବୀ ପୂରଣ, ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଣ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ନିୟମିତ ସେବା ସୁନିଶ୍ଚିତ କରିବା ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ, ଯୁବନେତା ଫିରୋଜ ଦିଗାଲ, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମନ୍ତ ଶେଖର ନାୟକ, ଅନନ୍ତ ପ୍ରଧାନ ଓ ପୂର୍ବତ୍ତନ ସରପଞ୍ଚ ଆମନ୍ ପ୍ରଧାନ ଉପସ୍ଥିତ ଥିଲେ । ଅଞ୍ଚଳବାସୀଙ୍କ ଦାବି ଓ ସମସ୍ୟା ଶୁଣିବା ପରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଯଥାଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ ।