ଭଞ୍ଜନଗର(ନିଲୁ ବିଷୋୟୀ): ଗତ ରାତିରୁ ଅର୍ଣ୍ଣବ ବାତ୍ୟା ତାର କରାଳ ରୂପ ଦେଖାଇବାରେ ଲାଗିଛି । ଅବିଶ୍ରାନ୍ତ ବର୍ଷା ନଦୀ ନାଳରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେବା ସହ ନଦୀ ଉଛୁଳି ବିଭିନ୍ନ ଗ୍ରାମରେ ପଶିଛି । ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଥିବା ବେଳେ ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି । ଡହ ଜଳଭଣ୍ଡାର ଅଞ୍ଚଳରେ ବୁଧବାରରୁ ଗୁରୁବାର ସକାଳ ୬ଟା ମଧ୍ୟରେ ୨୭୦ ମିଲିମିଟର ବର୍ଷା ହୋଇଥିବା ବେଳେ ସୋରଡ଼ା ଅଞ୍ଚଳରେ ୩୩୭ ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ହୋଇଛି ।
ଅଳ୍ପ ସମୟ ମଧ୍ୟରେ ଅଧିକ ପରିମାଣର ବର୍ଷା ହେବାରୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ହୋଇଛି । ଲୋହରାଖଣ୍ଡି ଓ ବଡ଼ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, ଡହ ଜଳଭଣ୍ଡାରରେ ବୁଧବାର ଜଳସ୍ତର ୭୧ ପ୍ରତିଶତ ଥିବା ବେଳେ ରାତି ୧୨ଟା ପରେ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇଥିଲା । ଗୁରୁବାର ଭୋର୍ ପ୍ରାୟ ୪ଟା ସମୟରେ ଜଳଭଣ୍ଡାରରେ ଶତପ୍ରତିଶତ ଜଳ ମହଜୁଦ ହୋଇଯାଇଛି । ଫଳରେ ଆଡ଼ିବନ୍ଧର ସୁରକ୍ଷା ଦୃଷ୍ଟିରୁ ଲୋହରାଖଣ୍ଡି ନଦୀକୁ ଜଳ ନିଷ୍କାସନ ହେଉଛି । ଯାହାଦ୍ବାରା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୁରୁବାର ସକାଳୁ ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପଞ୍ଚାୟତର ଚଢ଼େୟାପଲ୍ଲୀ, ବାହାଡ଼ାପଦର, ସାନକୋଦଣ୍ଡା, ଗମ୍ଭାରୀଗୋଛା, ଯୋଗୀମାରି, ଢୁଢୁଆ, ଧୋବାବଞ୍ଜର,ବାଉଁଶଲୁଣ୍ଡି ସମେତ ଏକାଧିକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି । ଅନେକ ଘର ଭିତରକୁ ବନ୍ୟାଜଳ ପଶିଯାଇଥିବା ବେଳେ ଗ୍ରାମର ରାସ୍ତାଘାଟରେ ୩-୪ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ହଠାତ୍ ବନ୍ୟାଜଳ ମାଡ଼ି ଆସିବା ଯୋଗୁଁ ଅନେକ ସ୍ଥାନରେ ଚାଳଛପର ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି । ବାହାଡ଼ାପଦର ଠାରୁ ଗୁରାବାଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ କେତେକ ପରିବାର ନିଜ ଉଦ୍ୟମରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ଛୋଟ ପିଲାଙ୍କୁ ନେଇ ଅନେକ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି । ଖବର ପାଇ ପ୍ରଶାସନିକ ଅଧିକାରୀମାନେ ସକାଳୁ ବିଭିନ୍ନ ଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଜଳବନ୍ଦୀ ଗ୍ରାମଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଓଡ୍ରାଫ ଟିମ୍ ମୁତୟନ କରିବାକୁ ଦାବି ହୋଇଛି । ଏଭଳି ସ୍ଥିତି ପରେ ମଧ୍ୟ ବର୍ଷା ଲାଗି ରହିଥିବାରୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଘନୀଭୂତ ହୋଇଛି । ଏଥିସହ ଭଞ୍ଜନଗର ସହରର ସ୍ଥିତି ମଧ୍ୟ ସଙ୍ଗିନ ହେବାରେ ଲାଗିଛି । ନଈ କୂଳିଆ ସାହି ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ବୋହୁଥିବା ବେଳେ ଭୋର ସମୟରେ ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପକ୍କା ଘରେ ରହୁଥିବା ଲୋକ ମାନେ ଉପର ମହଲାରେ ପରିବାର ସହ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ନାହାତୁଠ ସାହି, ଶଙ୍ଖ ସାହି, ମେଦିରି ସାହି, ୫ ନମ୍ୱର୍ ୱାର୍ଡ ଭଳି ବିଭିନ୍ନ ତଳିଆ ସାହିରେ ଜଳମଗ୍ନ ସ୍ଥିତି ଦେଖା ଦେଇଛି । ବହୁ ପୁରାତନ ରଘୁନାଥ ମନ୍ଦିର ଭିତରେ ମଧ୍ୟ ପାଣି ପଶି ଯାଇଛି । ଏଥିସହ ଭଞ୍ଜନଗର – ବ୍ରହ୍ମପୁର ରାସ୍ତାର ବଦକୋଦଣ୍ଡା ରାସ୍ତାରେ ଏବଂ ଭଞ୍ଜନଗର – ଭୁବନେଶ୍ୱର ରାସ୍ତାରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଛି । ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ରିଲିଫ୍ ଓ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।