ଧରାକୋଟ(ସୁନୀଲ କୁମାର ଚୌଧୁରୀ,ଜ଼ିଲ୍ଲା ପ୍ରତିନିଧି ଗଞ୍ଜାମ): ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡର ଅନତି ଦୂରରେ ରହିଛି ପର୍ଯ୍ୟଟନ ସ୍ଥଳୀ ଶାନ୍ତିଝର । ଅନୁକୂଳ ପରିବେଶ, କମନୀୟ ସୌନ୍ଦର୍ଯ୍ୟ ସାଙ୍ଗକୁ ତିନୋଟି ପାହାଡ଼ର ସଙ୍ଗମ ସ୍ଥଳରୁ ଝରି ଆସୁଥିବା ଝରଣାର ମନଲୋଭା ଦୃଶ୍ୟ ଏହାର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି । ସଂପ୍ରତି ନିଦାଘ ଗ୍ରୀଷ୍ମରେ ଝରଣାର ଧାର କ୍ଷୀଣ ହୋଇ ଯାଇଥିବା ବେଳେ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଶାନ୍ତିଝର ପୁଣି ଉଛୁଳି ଉଠିଛି । ଗୁରୁ ଗମ୍ଭୀର ସ୍ୱରରେ ସୁଦୂର ପାହାଡ଼ରୁ ତୀବ୍ର ବେଗରେ ହନୁମାନ ବାଟିକାରେ ହନୁମାନ ମଧ୍ୟ ଭାଗରେ ଥିବା ଗଡଚଣ୍ଡୀ ଏବଂ ତଳେ ଅବସ୍ଥିତ ମା କଠୁଳିଆ ଦେବୀଙ୍କ ପାଦ ସ୍ପର୍ଶ କରି ଶାନ୍ତିଝରର ପାଣି ପୁଣ୍ୟତୋୟା ଋଷିକୂଲ୍ୟାରେ ମିଶିଛି ।
ରବିବାର ଦିନ ସକାଳୁ ସକାଳୁ ଏହାର ଦୃଶ୍ୟ ଉପଭୋଗ କରିବା ସହ ବଣ ଭୋଜି ପାଇଁ ବହୁ ଲୋକ ଏଠାରେ ଭିଡ଼ ଜମାଇଥିଲେ । ଲୋକଙ୍କ ଭିଡକୁ ଦେଖି ଶାନ୍ତିଝର ଉନ୍ନୟନ କମିଟି ପକ୍ଷରୁ ପରିବେଶ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସଂପ୍ରତି ଶାନ୍ତିଝରର ସୁନ୍ଦରତାରେ ଆଉଏକ ଅଧ୍ୟାୟ ଯୋଡ଼ି ହେବା ପାଇଁ ଯାଉଛି । ଏହାର ଉପର ଶିଖର ହନୁମାନ ବାଟିକାରେ 36 ଫୁଟର ଏକ ହନୁମାନ ବିଗ୍ରହ ସ୍ଥାପନ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଆସନ୍ତା ଜାନୁଆରୀ 22 ତାରିଖ ଠାରୁ 25 ତାରିଖ ପର୍ଯ୍ୟନ୍ତ ଏହାର ପ୍ରତିଷ୍ଠା ମହୋତ୍ସବ ପାଳନ କରାଯିବ । ଶାନ୍ତିଝର ଉନ୍ନୟନ କମିଟି ସଭାପତି ସୁନୀଲ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଷ୍ଠା କାର୍ଯ୍ୟ ସହ ସୁନ୍ଦର ଭିତ୍ତି ଭୂମିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଗାମୀ ଦିନରେ ଦୁର୍ଗା ଦେବୀ ତୋରଣ, ମହାବୀର ଘାଟିର ବିକାଶ ସାଙ୍ଗକୁ 36 ଫୁଟ ଉଚ୍ଚତାର ଏକ ଆଦିଯୋଗି ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ସଭାପତି ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ବିଭାଗ ଉପ ନିର୍ଦ୍ଦେଶକ ତନୁଜା ଦାସ ନିକଟରେ ଶାନ୍ତିଝର ପରିଦର୍ଶନ କରି ଶିଶୁ ଉଦ୍ୟାନ, ପାନୀୟ ଜଳ, ରାସ୍ତା, ବିଦ୍ୟୁତ କରଣ ଓ ଭିତ୍ତି ଭୂମିର ବିକାଶ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସଂପ୍ରତି ପାର୍ବଣ ସାଙ୍ଗକୁ ପର୍ଯ୍ୟଟନ ଋତୁର ଆଗମନ ଯୋଗୁଁ ଶାନ୍ତି ଝରରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଛି ।