ଦୀର୍ଘ ବର୍ଷ ପରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ନିଯୁକ୍ତି: କର୍ମଚାରୀ ଅଭାବରୁ ଦୀର୍ଘଦିନ ଧରି ଅଚଳ ଥିଲା କାର୍ଯ୍ୟାଳୟ, ନୂଆ ନିଯୁକ୍ତିକୁ ସାମ୍ବାଦିକ ମହଲରେ ସ୍ୱାଗତ…

ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ବର୍ଷ ଧରି କର୍ମଚାରୀ ଅଭାବରୁ ଅଚଳ ହୋଇ ପଡ଼ିଥିବା ଘୁ.ଉଦୟଗିରିସ୍ଥିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଶେଷରେ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ସରକାରଙ୍କ ଏହି ପଦକ୍ଷେପ ପରେ ଦୀର୍ଘଦିନ ଧରି ବନ୍ଦ ରହିଥିବା କାର୍ଯ୍ୟାଳୟରେ ପୁଣି କାର୍ଯ୍ୟକ୍ରିୟା ଆରମ୍ଭ ହେବାର ଆଶା ଦେଖା ଦେଇଛି । ଏହାକୁ ନେଇ ସ୍ଥାନୀୟ ସାମ୍ବାଦିକ ମହଲରେ ଖୁସି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀ ଜ୍ଞାନରଞ୍ଜନ କର ୨୦୨୩ ମସିହା ଜାନୁଆରୀ ୩୧ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଅବସର ପରେ ଏହି କାର୍ଯ୍ୟାଳୟରେ ଅନ୍ୟ କୌଣସି କର୍ମଚାରୀ ନଥିବାରୁ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା । ଧୀରେ ଧୀରେ କାର୍ଯ୍ୟାଳୟର କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ବେଳେ ଏକପ୍ରକାର ତାଲା ପଡ଼ି ରହିଥିଲା । ଫଳରେ ଏହି କାର୍ଯ୍ୟାଳୟ ମାଧ୍ୟମରେ ସମ୍ପାଦିତ ହେବାକୁ ଥିବା ବିଭିନ୍ନ ସୂଚନା ଓ ଲୋକସମ୍ପର୍କ ସମ୍ବନ୍ଧୀୟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ତେଣୁ ଦୀର୍ଘଦିନ ଧରି କାର୍ଯ୍ୟାଳୟଟି ଅଚଳ ରହିବା ଯୋଗୁଁ ଏହାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଥିଲା । କର୍ମଚାରୀ ନିଯୁକ୍ତି ଦାବିକୁ ନେଇ ସ୍ଥାନୀୟ ଗଣମାଧ୍ୟମରେ ଅନେକ ଥର ଖବର ପ୍ରକାଶ ପାଇଥିଲା । ଏଥିସହ ବିଭାଗରେ ଖାଲି ପଡ଼ିଥିବା ପଦବି ପୂରଣ କରିବା ପାଇଁ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦାବି ଜଣାଯାଇଥିଲା । ଦୀର୍ଘ ସମୟ ଧରି ଏହି ଦାବି ଉଠିବା ସତ୍ତ୍ୱେ ନିଯୁକ୍ତି ହୋଇନଥିବାରୁ କାର୍ଯ୍ୟାଳୟର କାର୍ଯ୍ୟକ୍ଷମତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ସରକାର ଏବେ ଅଜିତ କୁମାର ରାଉତରାୟଙ୍କୁ ଏହି କାର୍ଯ୍ୟାଳୟରେ ନିଯୁକ୍ତି ଦେଇଛନ୍ତି । ତାଙ୍କ ନିଯୁକ୍ତି ପରେ କାର୍ଯ୍ୟାଳୟରେ ପୁଣିଥରେ ସରକାରୀ କାର୍ଯ୍ୟ ଆରମ୍ଭ ହେବା ସହ ବିଭାଗୀୟ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ହୋଇପାରିବ ବୋଲି ଆଶା କରାଯାଉଛି । ସେ ଏହି କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟର ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି । ଏହି ନିଯୁକ୍ତି ଫଳରେ ସ୍ଥାନୀୟ ଅଞ୍ଚଳରେ ସରକାରୀ ସୂଚନାର ପ୍ରସାର ଅଧିକ ସୁବ୍ୟବସ୍ଥିତ ହେବା ସହ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଛି । ଦୀର୍ଘଦିନ ଧରି ଉଠୁଥିବା ଦାବି ପରେ କର୍ମଚାରୀ ନିଯୁକ୍ତି ହୋଇଥିବାରୁ ସାମ୍ବାଦିକ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ତେବେ କେବଳ ଜଣେ କର୍ମଚାରୀଙ୍କ ନିଯୁକ୍ତିରେ ସୀମିତ ନରହି, କାର୍ଯ୍ୟାଳୟର ସମସ୍ତ ଆବଶ୍ୟକତା ପୂରଣ କରି ଏହାକୁ ନିୟମିତ ଓ ସୁଚାରୁ ଭାବେ ପରିଚାଳନା କରିବା ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି । ଏହାଦ୍ୱାରା ସାଧାରଣ ଲୋକଙ୍କ ନିକଟରେ ସରକାରୀ ସୂଚନା ପହଞ୍ଚିବା ସହ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ଆହୁରି ମଜବୁତ ହୋଇପାରିବ ।