ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍ ରୁମ୍ରେ କର୍ମଚାରୀ ସଂଖ୍ୟା ହ୍ରାସକୁ ବିରୋଧ କରି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ (ଓବିକେଏମ୍) ପକ୍ଷରୁ ସୋମବାର ଧାରଣା ଦିଆଯାଇଛି । ୧୧ ଦଫା ସମ୍ବଳିତ ଦାବୀ ନେଇ ଭଞ୍ଜନଗର ବିଦ୍ୟୁତ୍ ଡ଼ିଭିଜନ ଅନ୍ତର୍ଗତ ବୌଦ୍ଧ, ଫୁଲବାଣୀ ଓ ଭଞ୍ଜନଗର ଅଞ୍ଚଳର କର୍ମଚାରୀମାନେ ସମ୍ପୃକ୍ତ କାର୍ଯ୍ୟାଳୟରେ ଧାରଣାରେ ହୋଇଛନ୍ତି । ସଂଘ ପକ୍ଷରୁ ଅଭିଯୋଗ ହୋଇଛି ଯେ, ନୂତନ ଏଜେନ୍ସି ପକ୍ଷରୁ ପ୍ରତ୍ୟେକ ସବ୍ଡିଭିଜନରୁ ୧୦ ଜଣ ଲେଖାଏଁ କର୍ମଚାରୀଙ୍କୁ ଛଟେଇ କରାଯିବାକୁ ଯୋଜନା ହୋଇଛି । ଏହାଦ୍ୱାରା ବହୁ କର୍ମଚାରୀ ଚାକିରି ହରାଇବା ଆଶଙ୍କାରେ ରହିଛନ୍ତି । ଅନ୍ୟପକ୍ଷରେ, ପୂର୍ବରୁ କଣ୍ଟ୍ରୋଲ୍ ରୁମ୍ରେ ୭ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏବେ ୪ ଜଣଙ୍କୁ ରଖାଯାଇ ଅନ୍ୟ ୩ ଜଣଙ୍କୁ ଛଟେଇ କରାଯିବା ନେଇ ଚର୍ଚ୍ଚା ହେଉଥିବା ସଂଘ ପକ୍ଷରୁ କୁହାଯାଇଛି । କଣ୍ଟ୍ରୋଲ୍ ରୁମ୍ରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିୟୋଜିତ ନ ହେଲେ ବିଦ୍ୟୁତ ସେବା ପରିଚାଳନା ଓ କର୍ମଚାରୀଙ୍କ ସୁରକ୍ଷା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସଂଘ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି । ତେବେ ଏ ସମ୍ପର୍କିତ ନିୟମ ଉଲ୍ଲଂଘନ ଅଭିଯୋଗର ସ୍ୱତନ୍ତ୍ର ଯାଞ୍ଚ ଆବଶ୍ୟକ ବୋଲି ସଂଘ ମତ ଦେଇଛି । କର୍ମଚାରୀଙ୍କ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଆଜିର ବୈଠକରେ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟାଟା ପାୱାର ପରିଚାଳନା ପକ୍ଷରୁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାର୍ଷିକ ୨୦ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯାଉଥିବା ବେଳେ ତୃଣମୂଳସ୍ତରର କର୍ମଚାରୀମାନେ ମାସିକ ମାତ୍ର ୧୨ରୁ ୧୫ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଛନ୍ତି । ଦିନରାତି ପରିଶ୍ରମ କରି ବିଦ୍ୟୁତ ସେବା ସ୍ୱାଭାବିକ ରଖୁଥିବା କର୍ମଚାରୀଙ୍କ ସମସ୍ୟା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନଥିବା ସଂଘ ଅଭିଯୋଗ କରିଛି । କର୍ମଚାରୀଙ୍କ ଦାବି ପୂରଣ, ପ୍ରସ୍ତାବିତ ଛଟେଇ ବନ୍ଦ, କଣ୍ଟ୍ରୋଲ୍ ରୁମ୍ରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି, ଉପଯୁକ୍ତ ଦରମା ଓ କାର୍ଯ୍ୟସୁରକ୍ଷା ପ୍ରଦାନ ସମେତ ଅନ୍ୟାନ୍ୟ ଦାବି ନେଇ ଏହି ଧାରଣା ଦିଆଯାଇଛି । କର୍ମଚାରୀଙ୍କ ଦାବି ପ୍ରତି ଟାଟା ପାୱାର କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆଲୋଚନା ମାଧ୍ୟମରେ ସମାଧାନର ପଥ ବାହାର କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଆନ୍ଦୋଳନରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ହରପ୍ରସାଦ ବିଷୋୟୀ, ମୁନା ପାତ୍ର, ରବିନାରାୟଣ ପଟ୍ଟନାୟକ, ମିଟୁ ମହାରଣା ଓ ଋଷି ପାତ୍ର, ବ୍ରଜ ଆଚାର୍ଯ୍ୟ, ବଳରାମ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।