ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ଚୋରା ଗଞ୍ଜେଇ ଓ ନକଲି ମଦ କାରବାର ବଢୁଥିବା ବେଳେ ଶୁକ୍ରବାର ଭଞ୍ଜନଗର ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ପୃଥକ ତିନୋଟି ସ୍ଥାନରେ ଚଢାଉ କରାଯାଇ ୫୦ କେଜି ୩୪୦ ଗ୍ରାମ ଗଞ୍ଜେଇ, ୨୭ ଲିଟର ମଦ ସହ ଗୋଟିଏ କାର୍, ଏକ ବାଇକ୍ ଓ ସ୍କୁଟି ଜବତ କରାଯାଇଛି । ଏହି ଘଟଣାରେ ପୁଲିସ ଓ ଅବକାରୀ ବିଭାଘ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅବକାରୀ ବିଭାଗ ଜଗନ୍ନାଥପ୍ରସାଦ ଥାନା ଗୋଚ୍ଛାବାଡ଼ି ଛକଠାରେ ଚଢ଼ାଉ କରି ୫.୭୬୦ ଲିଟର ନକଲି ମଦ ଓ ଏକ ସ୍କୁଟି ଜବତ କରିଥିବା ବେଳେ ଏହି ଘଟଣାରେ ଅଭିମନ୍ୟୁ ପ୍ରଧାନ (୩୨) ଓ ସିଲୁ ସେନାପତି (୨୧)ଙ୍କୁ ଗିରଫ କରାଯାଇଛି । ସେହିପରି ବୁଡୁରୁଙ୍ଗୁ ଛକ ଠାରେ ଚଢ଼ାଉ କରି ୨୧.୯୦୦ ଲିଟର ନକଲି ମଦ ସହ ଏକ ମୋଟରସାଇକେଲ ଜବତ କରାଯାଇଥିଲା । ଏହି ଘଟଣାରେ ପଞ୍ଚାନନ ସେନାପତି(୩୪)ଙ୍କୁ ଗିରଫ କରାଯାଇଛି । ଏହି ଦୁଇଟି ଚଢ଼ାଉରେ ମୋଟ ୨୭.୬୬୦ ଲିଟର ନକଲି ମଦ ଓ ଦୁଇଟି ଗାଡ଼ି ଜବତ ହୋଇଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ସେହିଭଳି ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭଞ୍ଜନଗର ପୁଲିସ ଚଢାଉ କରି ୫୦ କେଜି ୩୪୦ ଗ୍ରାମ୍ ଗଞ୍ଜେଇ ସହ ଏକ କାର୍ ଜବତ କରି ଜଣକୁ ଗିରଫ କରିଛି ।