ଗୀର୍ଜା ଗୃହରେ ଚୋରି, ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ତିନିଟି ଚୋରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ସୂଚନା ଅନୁଯାୟୀ, ଟେମ୍ପୋଗିରି ଗ୍ରାମର ଏକ ଚର୍ଚ୍ଚ ଗୃହରେ ରାତିରେ ଚୋରି ହୋଇଛି । ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚର୍ଚ୍ଚ ଗୃହରେ ପ୍ରବେଶ କରି ଆଲମାରୀ ଭାଙ୍ଗି ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ପ୍ରାୟ ରାତି ୨ଟାରୁ ୩ଟା ମଧ୍ୟରେ ଘଟିଥିବା କୁହାଯାଉଛି । ପ୍ରଥମେ ଏକ ଛୋଟ ଆଲମାରୀ ଭାଙ୍ଗି ଟଙ୍କା ନେବା ପରେ ଦୁର୍ବୃତ୍ତମାନେ ଅନ୍ୟ ଏକ ବଡ଼ ଆଲମାରୀ ଭାଙ୍ଗିବାକୁ ଉଦ୍ୟମ କରୁଥିବା ସମୟରେ ଶବ୍ଦ ଶୁଣାଯାଇଥିଲା । ଜଣେ ବ୍ୟକ୍ତି ଟର୍ଚ୍ଚ ଲାଇଟ୍‌ରେ ଚର୍ଚ୍ଚ ପଟକୁ ଦେଖିବାରୁ ଦୁର୍ବୃତ୍ତମାନେ ଝରକା ପଟେ ଖସି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ଚର୍ଚ୍ଚ ଗୃହରେ ପହଞ୍ଚି ଯାଞ୍ଚ କରିଥିଲେ । ପରେ ଗ୍ରାମର ଭଦ୍ରବ୍ୟକ୍ତିମାନେ ଏକ ବୈଠକ କରି ଘଟଣା ସମ୍ପର୍କରେ ପୁଲିସ ଫାଣ୍ଡିରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବୃଷଭ ପଞ୍ଚାୟତର ସମିତି ସଭ୍ୟ ବୁଲୁ ରଇତଙ୍କ ସମେତ ଅସକିନାଶ ରଇତ, ମାଲିସ ରଇତ, ମିଶାଏଲ ଭୂୟାଁ, ସ୍ଥିପେନ ରଇତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଚିହ୍ନଟ କରି ଆଇନଗତ ପଦକ୍ଷେପ ନେବା ସହ ଅଞ୍ଚଳରେ ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।