ଗୁଣପୁର(ସୁନୀଲ କୁମାର ସାବତ): ଗୁଣୁପୁରରେ ଲଗାତାର ବର୍ଷା ହେବା ପରେ ବାଇପାସ୍ ମୁଖ୍ୟ ରାସ୍ତାରେ ବର୍ଷାଜଳ ଜମି ଅଳ୍ପ ସମୟ ପାଇଁ ଜନଜୀବନ ବେହାଲ ହୋଇପଡ଼ିଥିଲା । ରାସ୍ତା ଉପରେ ପାଣି ଜମିବାରୁ ଯାତାୟାତରେ ମଧ୍ୟ ସମସ୍ୟା ଦେଖାଦେଇଥିଲା । ଏହି ଘଟଣା ପରେ ଗୁଣୁପୁର ସହରରେ ମାଷ୍ଟର ଡ୍ରେନ୍ ବ୍ୟବସ୍ଥାକୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି । ସହରର ବର୍ଷାଜଳ ନିଷ୍କାସନ ପାଇଁ ମାଷ୍ଟର ଡ୍ରେନ୍ ବ୍ୟବସ୍ଥା ରହିଛି କି? ଯଦି ରହିଛି, ତେବେ ଏହାର ଅବସ୍ଥିତି କେଉଁଠି, କେଉଁ ଅଞ୍ଚଳରୁ କେଉଁ ଦିଗକୁ ଏହା ଯାଇଛି ଏବଂ ବର୍ତ୍ତମାନ ଏହାର କାର୍ଯ୍ୟକ୍ଷମତା କେତେ ଏହି ପ୍ରଶ୍ନ ଏବେ ସାଧାରଣରେ ଉଠିଛି । ଯଦି ମାଷ୍ଟର ଡ୍ରେନ୍ ରହିଛି, ତେବେ ଲଗାତାର ବର୍ଷା ସମୟରେ ମୁଖ୍ୟ ରାସ୍ତାରେ ପାଣି କାହିଁକି ଜମୁଛି, ତାହା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ, ଡ୍ରେନ୍ରେ କାଦୁଅ, ପଲିଥିନ୍ ଓ ଅନ୍ୟାନ୍ୟ ଅଳିଆ ଆବର୍ଜନା ଜମି ରହିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଥିବା କିଛି ବ୍ୟକ୍ତି କହିଛନ୍ତି । ଏହି ଅଭିଯୋଗ ପରେ ପୌରପରିଷଦ ପକ୍ଷରୁ ଜେସିବି ଓ ଗାଡ଼ି ଲଗାଇ ଡ୍ରେନ୍ ସଫା କରାଯାଇଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ତେବେ ପ୍ରଶ୍ନ ହେଉଛି ମାଷ୍ଟର ଡ୍ରେନ୍ ଥିଲେ ଏହାର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା କ’ଣ? ଏନେଇ ଗୁଣୁପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଡ୍ରେନ୍ରେ କାଦୁଅ, ପଲିଥିନ୍ ଭଳି ବସ୍ତୁ ଜମି ରହିବାରୁ ବର୍ଷାଜଳ ଜମିଥିଲା । ଏନେଇ ଅଭିଯୋଗ ଆସିବା ପରେ ତୁରନ୍ତ ଜେସିବି ଓ ଗାଡ଼ି ଲଗାଇ ଡ୍ରେନ୍ ସଫା କରାଯାଇଥିବା ସେ କହିଛନ୍ତି । ତେବେ ଏହି ଘଟଣା କେବଳ ଡ୍ରେନ୍ରେ ଆବର୍ଜନା ଜମିବାର ସମସ୍ୟା ନା ସହରର ସମଗ୍ର ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାରେ ମୌଳିକ ତ୍ରୁଟି ରହିଛି ତାହା ସ୍ପଷ୍ଟ ହେବା ଆବଶ୍ୟକ । ଗୁଣୁପୁରର ମାଷ୍ଟର ଡ୍ରେନ୍ର ନକ୍ସା, ଅବସ୍ଥିତି, ନିଷ୍କାସନ ପଥ ଓ ବର୍ତ୍ତମାନ ସ୍ଥିତି ସାର୍ବଜନୀନ କରାଯିବ କି? ବର୍ଷା ଆସିଲେ ରାସ୍ତାରେ ପାଣି ଜମିବା ଓ ଅଭିଯୋଗ ପରେ ଡ୍ରେନ୍ ସଫା କରିବା ହିଁ କି ସ୍ଥାୟୀ ସମାଧାନ, ନା ସହର ପାଇଁ ଏକ ସୁଚିନ୍ତିତ ମାଷ୍ଟର ଡ୍ରେନେଜ୍ ବ୍ୟବସ୍ଥା ଆବଶ୍ୟକ ଏବେ ଏହାର ଉତ୍ତର ଖୋଜୁଛନ୍ତି ସହରବାସୀ ।