ତେଜଶ୍ରୀ ସେବା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଓଡ଼ିଆ ଦୈନିକ ଖବରକାଗଜ ‘ସତମାର୍ଗ’ର ନୂତନ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ…

ଗୁଣୁପୁର(ସୁନୀଲ୍ କୁମାର ସାବତ): ତେଜଶ୍ରୀ ସେବା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଓଡ଼ିଆ ଦୈନିକ ଖବରକାଗଜ ‘ସତମାର୍ଗ’ର ନୂତନ ଶାଖା କାର୍ଯ୍ୟାଳୟ ଜିଲ୍ଲାପାଳ କାର୍ଯ୍ୟାଳୟ ରାସ୍ତା ପରିସରରେ ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ରାୟଗଡ଼ ସଦର ମହକୁମାସ୍ଥିତ ସ୍ଥାନୀୟ ଲାୟନ୍ସ କ୍ଲବଠାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀ ବିଭୂତି ଭୂଷଣ କର ଯୋଗଦେଇଥିବା ବେଳେ ‘ସତମାର୍ଗ’ ଖବରକାଗଜର ସମ୍ପାଦକ ତଥା ତେଜଶ୍ରୀ ସେବା ଫାଉଣ୍ଡେସନର ସଭାପତି ଶ୍ରୀ ରାଜେଶ ମହାନ୍ତି ଯୋଗଦେଇଥିଲେ । ସଭାର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ପାଦକ ଶ୍ରୀ ରାଜେଶ ମହାନ୍ତି ତାଙ୍କ ବକ୍ତବ୍ୟରେ ଖବରକାଗଜ ଓ ତେଜଶ୍ରୀ ସେବା ଫାଉଣ୍ଡେସନ ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ତେଜଶ୍ରୀ ସେବା ଫାଉଣ୍ଡେସନ ସମଗ୍ର ଓଡ଼ିଶାରେ କାର୍ଯ୍ୟ କରିବ । ଏହି ଫାଉଣ୍ଡେସନ ସାରା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ମୋଟ ୩୦ ଜଣ ସଭ୍ୟଙ୍କୁ ନେଇ ଗଠିତ । ଫାଉଣ୍ଡେସନ ଗଠନର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର କୋଣ ଅନୁକୋଣରେ ଜୀବନଯାପନ କରୁଥିବା ବାସହରା ଲୋକଙ୍କୁ ଥଇଥାନ କରିବା, ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ବୃଦ୍ଧାଶ୍ରମ ଏବଂ ଶିଶୁ ଓ କିଶୋରୀମାନଙ୍କ ପାଇଁ ଅନାଥାଶ୍ରମ ପ୍ରତିଷ୍ଠା କରି ସେମାନଙ୍କୁ ଥଇଥାନ କରିବା ବୋଲି ସେ କହିଥିଲେ । ଏଥିସହ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା, ଗରିବ ଓ ଅସହାୟଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା, ଘରପୋଡ଼ି, ବନ୍ୟା, ବାତ୍ୟା ଓ ଯେକୌଣସି ଦୈବୀ ଦୁର୍ଘଟଣାରେ ଆହତଙ୍କ ନିକଟରେ ପହଞ୍ଚି ଆବଶ୍ୟକୀୟ ସେବା ପ୍ରଦାନ କରିବା ଫାଉଣ୍ଡେସନର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ । ଏଭଳି ଘଟଣା ସମ୍ପର୍କରେ ସୂଚନା ଦେବା ପାଇଁ ଫାଉଣ୍ଡେସନ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ୯୯୩୮୫୪୦୦୯୬ ରଖାଯାଇଛି । ଲୋକମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ତତ୍‌ସହିତ ଫାଉଣ୍ଡେସନର ପ୍ରଚାର, ପ୍ରସାର ଓ ଖବର ସଂଗ୍ରହ ପାଇଁ ଫାଉଣ୍ଡେସନ ଦ୍ୱାରା ‘ସତମାର୍ଗ—ସତ୍ୟର ସନ୍ଧାନ’ ନାମରେ ଦୈନିକ ଖବରକାଗଜ ପରିଚାଳିତ ହେଉଛି । ଏହି ଖବରକାଗଜ ସାରା ଓଡ଼ିଶାରେ ପରିଚାଳିତ ହେବ । ସତ୍ୟର ଖବର ପରିବେଷଣ ସହିତ ସମାଜରେ ଘଟୁଥିବା ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ କରି ଲୋକଲୋଚନକୁ ଆଣିବା ସହ ଏହାର ପ୍ରତିବାଦରେ ଖବର ପ୍ରସାରଣ କରାଯିବ ବୋଲି ସେ କହିଥିଲେ । ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରତି ଜିଲ୍ଲାରେ ‘ସତମାର୍ଗ’ ଅଭିଯୋଗ ପ୍ରକୋଷ୍ଠ କରାଯିବ । ଏଥିପାଇଁ ଟୋଲ୍‌ ଫ୍ରି ନମ୍ବର ୭୦୦୮୬୯୧୪୨୭ ରଖାଯାଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।