ମୋହନା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କଲେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ: ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ, ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା….
ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏହି ପ୍ରତିନିଧି ଦଳ ମୋହନା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ଗସ୍ତ ଅବସରରେ ଖଜୁରୀପଦା, ମହେନ୍ଦ୍ରଗଡ଼, ରା ଉଦୟଗିରି ସମେତ ଅନ୍ୟାନ୍ୟ ପଞ୍ଚାୟତକୁ ଯାଇ ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ, ଚାଷଜମି ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ବିଶେଷକରି ବାତ୍ୟା ଅର୍ଣ୍ଣବ ଓ ଅକ୍ୱାନର ପ୍ରଭାବରେ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଏବଂ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଓ କୃଷି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ନେଇ ସେମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ବାତ୍ୟା ଯୋଗୁଁ ଚାଷୀମାନେ ସମ୍ମୁଖୀନ ହୋଇଥିବା କ୍ଷତି ଓ ଆର୍ଥିକ ସମସ୍ୟା ସମ୍ପର୍କରେ ମଧ୍ୟ ପ୍ରତିନିଧି ଦଳ ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲେ । ପ୍ରଭାବିତ ଅଞ୍ଚଳର ଲୋକମାନେ ନିଜ ନିଜ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ । ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଚାଷୀ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ କିପରି ଆବଶ୍ୟକ ସହାୟତା ମିଳିପାରିବ ସେନେଇ ଆଲୋଚନା ହୋଇଥିଲା । ଏହି ଗସ୍ତରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ସହ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବିଜେଡି ନେତା ଜେମସ୍ ରାଇକା, ଜିଲ୍ଲା ପରିଷଦ ସଦସ୍ୟ ଏସ୍. ବାଲାରାଜୁ ଓ ମୋହନାରେ ମୋହନା ବ୍ଲକ ଅଧ୍ୟକ୍ଷ ରଞିବ ଶବର, ବ୍ଲକ ବିଜେଡି ସଭାପତି ରାଜିବ ମଲ୍ଲିକ, ପ୍ରଶାନ୍ତ ବୀର, ବିଭୁ ଚରଣ ମଲ ପ୍ରମୁଖ ଉପସ୍ଥିତ ଥିଲେ l