ଗୁଣୁପୁର(ସୁନୀଲ୍ କୁମାର ସାବତ): ଗୁଣୁପୁରରେ ଲଗାଣ ବର୍ଷା ସମସ୍ତ ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ପ୍ରବଳ ବର୍ଷା ଯୋଗୁଁ ଗୁଣୁପୁର ନିକଟସ୍ଥ ଲବା, ଘନାନ୍ତ୍ରୀ, ଟିଟିମିରି, ପୁଟାସିଂ, କେରେବା, ଭୀମପୁର, ଭୀମପୁରଗୁଡ଼ା, ଖଇରା, ଜଗନ୍ନାଥପୁର ସମେତ ବିଭିନ୍ନ ଅଞ୍ଚଳରେ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଧାନ ବିଲରେ ପାଣି ଜମିଯାଇଥିବା ବେଳେ କେତେକ ସ୍ଥାନରେ ପାଣିର ପ୍ରଖର ସ୍ରୋତରେ ଧାନ ଫସଲ ଭାସିଯାଇଛି । ଆଉ କେତେକ ଜମିରେ ଧାନ ଫସଲ ପାଣି ଭିତରେ ବୁଡ଼ି ରହିଛି । ଦୀର୍ଘ ସମୟ ପାଣି ଭିତରେ ରହିଲେ ପାଣି କମିବା ପରେ ମଧ୍ୟ ଧାନ ଫସଲ ପଚି ନଷ୍ଟ ହୋଇଯିବାର ଆଶଙ୍କା ଚାଷୀମାନେ ପ୍ରକାଶ କରିଛନ୍ତି । ଚାଷୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ବହୁ ଆଶା ନେଇ ଧାନ ଚାଷ କରିଥିଲେ । ଚାଷରେ ଅର୍ଥ ଖର୍ଚ୍ଚ କରିବା ସହ ଦିନରାତି ପରିଶ୍ରମ କରିଥିଲେ । ହେଲେ ହଠାତ୍ ଲଗାଣ ବର୍ଷା ସବୁ ଆଶାକୁ ଧୋଇନେଇଛି । କେଉଁଠି ପ୍ରଖର ପାଣି ସ୍ରୋତରେ ଫସଲ ଭାସିଯାଇଛି ତ ଆଉ କେଉଁଠି ଧାନଗଛ ପାଣି ଭିତରେ ବୁଡ଼ି ରହିଛି । ବିଶେଷକରି ଟିଟିମିରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୀମପୁରଗୁଡ଼ା ଗ୍ରାମରୁ ମଧ୍ୟ ଚାଷୀଙ୍କ ଦୁଃଖର ଚିତ୍ର ସାମ୍ନାକୁ ଆସିଛି । ଚାଷୀ ଅଶ୍ୱିନ ଗମାଙ୍ଗ କହିଛନ୍ତି, “ଏ ବର୍ଷ ଦୁଇ ଦିନ ଭିତରେ ରୁଆଯାଇଥିବା ଧାନ ସବୁ ବର୍ଷା ପାଣିରେ ଭାସିଗଲା । ଆମେ ଏବେ ବଞ୍ଚିବୁ କେମିତି? ପୁଣି ଚାଷ କରିବାକୁ ହେଲେ ଟଙ୍କା ଲାଗିବ, କିନ୍ତୁ ଆମ ପାଖରେ ଆଉ ଟଙ୍କା ନାହିଁ । ସରକାର ଏନେଇ ଆମକୁ ସହାୟତା କରନ୍ତୁ ।” ଚାଷୀମାନଙ୍କ ଦାବି, ପ୍ରଶାସନ ଓ କୃଷି ବିଭାଗ ତୁରନ୍ତ କ୍ଷେତ୍ରସ୍ତରରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଓ ପୁନଃଚାଷ ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦିଅନ୍ତୁ । ଚାଷୀ ବଞ୍ଚିଲେ ହିଁ କୃଷି ବଞ୍ଚିବ। ତେଣୁ ଚାଷୀଙ୍କ ଦୁଃଖ ଓ କ୍ଷୟକ୍ଷତିକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।