ଦୁଇ ଦିନ ହେଲା ଜଳୁନି ଷ୍ଟ୍ରିଟ୍ ଲାଇଟ୍: ଅନ୍ଧାରରେ ବ୍ରାହ୍ମଣୀଗାଁ ବଜାର, ବଢୁଛି ଅସାମାଜିକ କାର୍ଯ୍ୟକଳାପ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଥିବାରୁ ରାତିରେ ସମଗ୍ର ବଜାର ଅନ୍ଧାରରେ ରହୁଛି । ସ୍ଥାନୀୟ ବାସିନ୍ଦାଙ୍କ ବହୁବାର ଦାବି ପରେ ବଜାର ଅଞ୍ଚଳର ଆଲୋକୀକରଣ ପାଇଁ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା । ତେବେ ନିୟମିତ ରକ୍ଷଣାବେକ୍ଷଣର ଅଭାବରୁ ଏହା ଅଚଳ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଗତ ଦୁଇ ଦିନ ଧରି ବଜାର ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବାରୁ ରାତିରେ ଯାତାୟାତ କରୁଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାର ଯୋଗୁଁ ବଜାର ଅଞ୍ଚଳରେ ଚୋରି ଓ ଅନ୍ୟାନ୍ୟ ଅପ୍ରୀତିକର ଘଟଣା ଘଟିବା ନେଇ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ପୂର୍ବରୁ ଅନ୍ଧାରର ସୁଯୋଗ ନେଇ ଚୋରି ଉଦ୍ୟମ ହୋଇଥିବା ନଜିର ରହିଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଦୂରଦୂରାନ୍ତରୁ ବ୍ରାହ୍ମଣୀଗାଁକୁ ଆସୁଥିବା ମହିଳା ଯାତ୍ରୀମାନେ ରାତି ସମୟରେ ବଜାର ଅଞ୍ଚଳ ଅନ୍ଧାର ରହୁଥିବାରୁ ନିଜକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ ହୋଇଛି । ଏଥିସହ ଦୋକାନ ବାରଣ୍ଡା ଓ ଯାତ୍ରୀ ବିଶ୍ରାମାଗାର ନିକଟରେ ସକାଳୁ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଥିବାରୁ ଅନ୍ଧାରର ସୁଯୋଗ ନେଇ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଏଭଳି ପରିସ୍ଥିତିରେ ବଜାର ଅଞ୍ଚଳରେ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ମରାମତି କରି ଆଲୋକୀକରଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ସହ ନିୟମିତ ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଓ ପଞ୍ଚାୟତ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।