ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରପଞ୍ଚ ଝରଣା ପ୍ରଧାନଙ୍କ ନେତୃତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ଲୋକମାନେ ନିଜର ବିଭିନ୍ନ ସମସ୍ୟା ସିଧାସଳଖ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ଓ ସମସ୍ୟାର ଶୀଘ୍ର ସମାଧାନ କରିବା ଉଦ୍ଦେଶ୍ୟରେ ଏହି ଶୁଣାଣି ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଇଏଏସ୍ (ପ୍ରୋବେସନ) ଯଶକରଣ ସିଂ ଯୋଗଦେଇ ମୋଟ ୧୦ ଜଣ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଥିଲେ । କାମ୍ବାନାଯୁ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ନଥିବାରୁ ଏକ ମିଲ୍ ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁଥିବା ଏବଂ ଉକ୍ତ ଘରଟି ଭାଙ୍ଗିଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାର ମରାମତି ପାଇଁ ଦାବି କରାଯାଇଥିଲା । ସେହିପରି ଗୁନ୍ଦାବାଯୁ ଗ୍ରାମରେ ଗାର୍ଡ ୱାଲ୍ ନିର୍ମାଣ ଏବଂ କାମ୍ବାନାଯୁ ଗ୍ରାମରେ କଲଭର୍ଟ ନିର୍ମାଣ ପାଇଁ ମଧ୍ୟ ଅଭିଯୋଗ ଦିଆଯାଇଥିଲା । ଏହା ବ୍ୟତୀତ ଅନ୍ୟ ୭ଟି ସମସ୍ୟା ନେଇ ଲୋକମାନେ ଅଭିଯୋଗ କରିଥିଲେ । କେତେକ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଝରଣା ପ୍ରଧାନ, ଜିଡିପିଓ ଅନିଲ କୁମାର ପଟ୍ଟନାୟକ, ଏପିଓ ଶ୍ରୀନିବାସ, ଡବ୍ଲୁ ରୋଜାଲିନ ନାୟକଙ୍କ ସମେତ ପିଇଓ, ଏଡିଓ, ଗାଁ ସାଥୀ, ପଞ୍ଚାୟତ କର୍ମଚାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ଲୋକମାନେ ନିଜ ସମସ୍ୟା ପ୍ରଶାସନ ନିକଟରେ ସିଧାସଳଖ ଭାବେ ଜଣାଇବାର ସୁଯୋଗ ପାଇଥିବାରୁ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।