୪୦ କେଜି ଗଞ୍ଜେଇ ସହ ଥାର୍ ଗାଡି ଜବତ, ଜଣେ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): କନ୍ଧମାଳ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭଞ୍ଜନଗର ଅବକାରୀ ବିଭାଗ ଚଢ଼ାଉ କରି ୪୦ କେଜି ଗଞ୍ଜେଇ ସହ ଏକ ଦାମୀ ଥାର୍ ଗାଡ଼ି ଜବତ କରିଛି । ଏହି ଚୋରା ଚାଲାଣରେ ସମ୍ପୃକ୍ତ କନ୍ଧମାଳ ଜିଲ୍ଲାର ମହେନ୍ଦ୍ର ବେହେରାଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ,ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ପହଣ୍ଡା ଏହାର ଆଖପାଖ ଅଞ୍ଚଳ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଅବକାରୀ ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପେଟ୍ରୋଲିଂ ଓ ଯାଞ୍ଚ କରିଥିଲେ । ପେଟ୍ରୋଲିଂ ସମୟରେ ପହଣ୍ଡା ଛକ ନିକଟରେ ଏକ ସନ୍ଦେହଜନକ ‘ଥାର୍’ ଗାଡ଼ିକୁ ଦେଖି ଅବକାରୀ ଟିମର ସନ୍ଦେହ ହୋଇଥିଲା । ଯାଞ୍ଚ ବେଳେ ଗାଡ଼ି ଭିତରୁ ୪୦ କେଜି ଗଞ୍ଜେଇ ବାହାରିଥିଲା । ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ ମହେନ୍ଦ୍ର ବେହେରାକୁ ଘଟଣାସ୍ଥଳରୁ କାବୁ କରି ଗିରଫ କରାଯାଇଛି । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କାହାକୁ ଯୋଗାଇବା ପାଇଁ ଯାଉଥିଲା ସେ ନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ଓଆଇସି ବିଭୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।