ସମାଜସେବୀ ସଦାନନ୍ଦ ପାରାସେଟଙ୍କୁ ଡକ୍ଟରେଟ୍ ଉପାଧି ଓ ସୁବର୍ଣ୍ଣ ପଦକ, କନ୍ଧମାଳ ପାଇଁ ଆଣିଲେ ଗୌରବ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ଅନ୍ୟତମ ଅବହେଳିତ ଜିଲ୍ଲା କନ୍ଧମାଳର ବାସିନ୍ଦା ତଥା ନିଷ୍ଠାପର ସମାଜସେବୀ ସଦାନନ୍ଦ ପାରାସେଟଙ୍କୁ ମିଳିଛି ଉଚ୍ଚ ପ୍ରଶଂସନୀୟ ସମ୍ମାନ । ଆଦିବାସୀ ଓ ଦଳିତ ସମାଜର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣ ତଥା ସମ୍ପ୍ରସାରଣ କ୍ଷେତ୍ରରେ ଅତୁଲନୀୟ ଅବଦାନ ପାଇଁ ତାଙ୍କୁ ‘ଡକ୍ଟରେଟ୍’ ଉପାଧି ସହିତ ଗୋଲ୍ଡ ମେଡାଲ (ସୁବର୍ଣ୍ଣ ପଦକ)ରେ ସମ୍ମାନିତ କରାଯାଇଛି । ତୁମୁଡିବନ୍ଧ ବ୍ଲକର ମାଳିପଡ଼ା ଗ୍ରାମର ଏକ ସାଧାରଣ ଗରିବ ପରିବାରରୁ ଆସି ଅନେକ ବାଧାବିଘ୍ନ ଅତିକ୍ରମ କରି ସେ ଆଜି ସମଗ୍ର ଜିଲ୍ଲା ପାଇଁ ଗୌରବ ସାଜିଛନ୍ତି । ବଣମଲ୍ଲୀ ସଦୃଶ ଲୁଚି ରହିଥିବା ଶ୍ରୀ ପାରାସେଟ୍ ପିଲାଦିନରୁ ସମାଜସେବା ପ୍ରତି ମନ ବଳାଇ ଆସୁଥିଲେ । ବିଶେଷ କରି ଜିଲ୍ଲାର ଲୋପ ପାଇବାକୁ ବସିଥିବା ସଂସ୍କୃତିକୁ ବଞ୍ଚାଇବା ପାଇଁ ସେ ‘ଜନ ବିକାଶ’ ଅନୁଷ୍ଠାନ ମାଧ୍ୟମରେ ନିରବଚ୍ଛିନ୍ନ ସାଧନା କରିଆସୁଛନ୍ତି । ଡମ୍ କନ୍ଦ ଭାଷାରେ ହଜିଯାଉଥିବା ଲୋକକଥା, କବିତା, ସଂଳାପ, ନାଚ, ଗୀତ, ବାଦ୍ୟଯନ୍ତ୍ର ଓ ଗହଣାକୁ ଲୋକଲୋଚନକୁ ଆଣିବାରେ ତାଙ୍କର ନିରନ୍ତର ପ୍ରୟାସ ରହିଛି । ‘ଡ଼ମ ଭାଷା’, ‘ଟପେରି’, ‘ମୁଁ ଋଷିମାଲ କହୁଛି’, ‘ଡ଼ାକେଲ କୂପା’, ‘ଝାଡ଼ବନ୍ଧ’, ‘ଆ ବର୍ଷେ’, ‘ଋତୁର ବେଳା’, ‘ଧରନି ପୂଜା’, ‘କାତେଲ ଯାତ୍ରା’, ‘ରାମ କାଟି’, ‘ମୁଣ୍ଡର ଖୁସା’, ‘କଇଲି ଧାଁଗଡି’, ‘କୁଳିଆ ଖାଳ’ ଏବଂ ‘କଳା ସୁନା (ସୁରୁମା)’ ଭଳି ବହୁ ଚର୍ଚ୍ଚିତ ପୁସ୍ତକ ମାଧ୍ୟମରେ ସେ ଆଦିବାସୀ ଓ ଦଳିତ ଐତିହ୍ୟକୁ ଏକ ନୂତନ ଜୀବନ ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଷ୍ଣୁ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଘଡ଼ିଆ ଚାରିଟେବଲ୍ ଟ୍ରଷ୍ଟ ଇଣ୍ଡିଆର ଯୌଥ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼.ପ୍ରଫେସର ବିଜୟ କୁମାର ନାଥ, ସମ୍ମାନିତ ଅତିଥି ଭାବେ ଡ଼.ବ୍ରଜବନ୍ଧୁ ବେହେରା, ଡ଼. ଅଶୋକ କୁମାର ଘଡ଼ିଆଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଡ଼.ସଦାନନ୍ଦ ପାରାସେଟଙ୍କୁ କନ୍ଧମାଳ ସଂସ୍କୃତି ଓ ପରମ୍ପରାର ପ୍ରକୃତ ଉଦ୍ଧାରକ ଭାବେ ଆଖ୍ୟାୟିତ କରି ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ସମସ୍ତଙ୍କ ପାଇଁ ଶିକ୍ଷା ଏବଂ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସମ୍ମାନ ଆଗାମୀ ଦିନରେ ଶ୍ରୀ ପାରାସେଟଙ୍କୁ ଦଳିତ ଓ ଆଦିବାସୀଙ୍କ ଶିକ୍ଷା ଏବଂ ସମ୍ମାନ ପାଇଁ କାର୍ଯ୍ୟ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ଆୟୋଜକ ଅନୁଷ୍ଠାନ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି l