ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବଡକୋଦଣ୍ଡା କ୍ଳଷ୍ଟର ଏବଂ ଡୁମାକୁମ୍ପା କ୍ଳଷ୍ଟର ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଏହି ମ୍ୟାଚକୁ ଏ.ବି.ଇ.ଓ ନେତାଜୀ ବିଷୋୟୀ ଉଦଘାଟନ କରିଥିବା ବେଳେ ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୟୀ ଡୁମାକୁମ୍ପା କ୍ଳଷ୍ଟରକୁ ଟ୍ରଫି ପ୍ରଦାନ କରିଥିଲେ l ପନ୍ଦର ଓଭର ବିଶିଷ୍ଟ ଏହି ମ୍ୟାଚରେ ସି.ଆର୍.ସି.ସି ମୋହନ ସାହୁଙ୍କ ନେତୃତ୍ବରେ ବଡକୋଦଣ୍ଡା ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ପାଞ୍ଚ ୱିକେଟ ବିନିମୟରେ ୯୪ ରନ କରିବାକୁ ସକ୍ଷମ ହୋଇଥିଲା l ପରେ ଡୁମାକୁମ୍ପା କ୍ଳଷ୍ଟର ଟିମ୍ ସି.ଆର୍.ସି.ସି ତ୍ରିନାଥ ବେହେରାଙ୍କ ନେତୃତ୍ବରେ ଏବଂ ଓପନର ଅଶ୍ବିନୀ କୁମାର ମଲ୍ଲିକଙ୍କ ଅପରାଜିତ ୫୭ ରନର ଅର୍ଦ୍ଧ ଶତକୀୟ ଇନିଂସ ବଳରେ ଧାର୍ଯ୍ୟ ଲକ୍ଷକୁ ମାତ୍ର ଦଶ ଓଭର(୯.୫)ରେ ହାସଲ କରିନେଇ ଆଠ ୱିକେଟରେ ବିଜୟୀ ହୋଇଥିଲା l ବଡକୋଦଣ୍ଡା ତରଫରୁ ବାମହାତୀ ବ୍ୟାଟର ନିରଞ୍ଜନ ବେହେରା ଦର୍ଶନୀୟ ୩୪ ରନ୍, ନିଉଟନ ପ୍ରଧାନ ୧୯ ରନ୍, ହରପ୍ରସାଦ ମହାପାତ୍ର ୧୪ ରନ୍ ଏବଂ ବୈରାଗୀ ଗୌଡ ୧୨ ରନ୍ ର ଇନିଂସ ଖେଳିଥିଲା ବେଳେ ଡୁମାକୁମ୍ପା ଟିମ୍ ତରଫରୁ କ୍ୟାପଟେନ ତ୍ରିନାଥ ବେହରା ଓ ସୁଦାମ ଦଳବରା ଦୁଇଟି ଲେଖାଁଏ ୱିକେଟ ଏବଂ ଅଭିଷେକ ନାୟକ ଗୋଟିଏ ୱ୍ବିକେଟ ଅକ୍ତିଆର କରି ବଡକୋଦଣ୍ଡା କ୍ଳଷ୍ଟର ଟିମକୁ ମାତ୍ର ୯୪ ରନ୍ ରେ ରୋକି ପାରିଥିଲେ l ଡୁମାକୁମ୍ପା ଟିମ୍ ତରଫରୁ ଅବିନାଶ ପଣ୍ଡା ୧୯ ରନର ଦର୍ଶନୀୟ ସଟ୍ ଖେଳି ଦଳୀୟ ସ୍କୋର ୫୧ ହୋଇଥିବା ବେଳେ ଷ୍ଟମ୍ପ ଆଉଟ ହୋଇଥିଲେ l କିନ୍ତୁ ଓପନର ଅଶ୍ବିନୀ କୁମାର ମଲ୍ଲିକ ଛକା ଚୌକା ବର୍ଷା କରି ୩୫ ବଲରେ ୫୭ ରନ୍ ହାସଲ କରି ଏହି ବିଜୟୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ବଡକୋଦଣ୍ଡା କ୍ଳଷ୍ଟର ତରଫରୁ ସୁଜିତ କୁମାର ଗୌଡ ଏବଂ ସୁଧାଂଶୁ ବେହେରାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା l ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟର ପି.ଇ.ଟି ଶିକ୍ଷକ ସଚିତ୍ର କୁମାର ନାୟକଙ୍କ ସମେତ ଦିନେଶ ପାଣିଗ୍ରାହୀ ଏବଂ ଶିବରାମ ସେଠୀ ଅମ୍ପାୟରିଂ କରିଥିଲା ବେଳେ ଶିକ୍ଷକ କାଳିଚରଣ ନାୟକ, ସନ୍ତୋଷ ରଥ, ପ୍ରଦୀପ ସାସମଲ, ସୁନିଲ ପଟ୍ଟନାୟକ, ପ୍ରଦୀପ ଗୌଡ, ଅଜିତ ଗୌଡ, କାଳୀଚରଣ ସାହୁ, ଦେବାଂଶୁ କହଁର, ସତ୍ୟବ୍ରତ ପ୍ରତ୍ର ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ, ଯୁବକ ସହଯୋଗ କରିଥିଲେ l ସର୍ବ ସମ୍ମତ୍ତି କ୍ରମେ ଏହି ମ୍ୟାଚଟିକୁ ଚକରା ବିଷୋୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ଆଗାମୀ ଜାନୁୟାରୀ ୨୦୨୩ରେ ବ୍ଳକ୍ ସ୍ତରୀୟ ଚକରା ବିଷୋୟୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯିବାକୁ ଏହି ଅବସରରେ ଆୟୋଜକଙ୍କ ତରଫରୁ ଘୋଷଣା କରାଯାଇଥିଲା l