କଳାହାଣ୍ଡି ଉତ୍ସବ ମଶାଲ ସବକମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): କଳା, ସଂସ୍କୃତି ଓ ଐତିହ୍ୟର ଜାଜ୍ଜ୍ବଲ୍ୟମାନ ବାର୍ତ୍ତାବହ ତଥା ଜନଜୀବନର ଗାଥା ବହନ କରୁଥିବା ଦେଶର ଅନନ୍ୟ ମହାପର୍ବ କଳାହାଣ୍ଡି ଉତ୍ସବ ଚଳିତ ବର୍ଷ ପଚିଶତମ ବର୍ଷରେ ପଦାର୍ପଣ କରିଛି l ଚଳିତ ବର୍ଷ ଏହି ପରମ୍ପରା ଉଜ୍ଜୀବିତ କରି ରଖିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏଦିଗରେ ପ୍ରଥମ ପ୍ରୟାସ ସ୍ବରୂପ ଜିଲ୍ଲାର ଦଶଟି ପ୍ରତ୍ନତାତ୍ତ୍ବିକ ଓ ଐତିହାସିକ ତଥା ପ୍ରସିଦ୍ଧ ସ୍ଥାନରୁ ମଶାଲ ଅଣାଯାଇ ଉତ୍ସବସ୍ଥଳରେ ସ୍ଥାପନ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି l ଆଜି ଜିଲ୍ଲା ଯୋଜନା ଓ ସମ୍ମନ୍ବୟ ବିଭାଗର ସମ୍ମିଳନୀ କକ୍ଷରେ କଳାହାଣ୍ଡି ଉତ୍ସବ ମଶାଲ ସବକମିଟିର ସଭାପତି ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା l ଉତ୍ସବର ପରିକଳ୍ପନା ମଶାଲ ଯାତ୍ରା ସହିତ ଜଡ଼ିତ ଥିବାରୁ ଏବଂ ଏଥିରେ ଜିଲ୍ଲାବାସୀଙ୍କ ଭାବାବେଗକୁ ସମ୍ମାନ ଦେବାର ଅବସର ଥିବାରୁ ଏହାର ବ୍ୟାପକ ପ୍ରଚାର ପ୍ରସାର ଉପରେ ସଦସ୍ୟମାନେ ମତ ଦେଇଥିଲେ l ସେହିପରି ମଶାଲ ଯାତ୍ରାକୁ ସୁଚାରୁ ରୂପରେ ପରିଚାଳନା ପାଇଁ ଅଧ୍ୟକ୍ଷ ଡ. ନିଆଲ ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ l ଏହା ସହିତ କଳାହାଣ୍ଡି ଉତ୍ସବ ମଶାଲ ସବକମିଟିର ପୁନଃଗଠନ ପାଇଁ କଳାହାଣ୍ଡି ଜିଲ୍ଲାପାଳ ତଥା ଉତ୍ସବ କମିଟିର ସଭାନେତ୍ରୀ ପି. ଅନ୍ବେଷା ରେଡ୍ଡୀଙ୍କୁ କମିଟି ତରଫରୁ ଧନ୍ୟବାଦ ଦିଆଯାଇଥିଲା l ସେହିପରି କଳାହାଣ୍ଡି ଉତ୍ସବର ଅବ୍ୟବହିତ ପୂର୍ବରୁ ମଶାଲ ଯାତ୍ରା ଅତ୍ୟନ୍ତ ଗୁରୁତ୍ବ ବହନ କରୁଥିବାରୁ ଏଥିପାଇଁ ସମସ୍ତ କମିଟି ସଦସ୍ୟ, ପ୍ରଶାସନ ସହଭାଗିତାର ହାତ ବଢ଼ାଇବାକୁ ପ୍ରସ୍ତାବ ଗ୍ରୁହୀତ ହୋଇଥିଲା l ଏଥିରେ ସବକମିଟିର ଆବାହକ ଯଯାତିକେଶରୀ ନାୟକ, ନେହରୁ ଯୁବକେନ୍ଦ୍ରର ଲେଖାପାଳ ଦ୍ବିତୀୟା ବନଛୋର,  ସଦସ୍ୟ ପ୍ରଦୀପ କୁମାର ଦାସ, ପ୍ରତିଭା ଚୌହାନ, ଉପାସନା ତ୍ରିପାଠୀ, ସୂର୍ଯ୍ୟନାରାୟଣ କୁମାର, ସୁଶୀଲ କୁମାର ବାଗ, ଚକ୍ରଧର ସେଠୀ, ଶାନ୍ତିସ୍ବରୂପ ପଣ୍ଡା, ବ୍ରୁନ୍ଦାବନ ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l