ସରକାରଙ୍କ ନାଲି ଫିତାତଳେ ଓଡ଼ିଶାର ଦାର୍ଜିଲିଙ୍ଗ ଘୁ.ଉଦୟଗିରି ପର୍ଯ୍ୟଟନ ସ୍ଥଳିର ବିକାଶ, ପର୍ଯ୍ୟଟନ ସ୍ଥଳୀ ମାନଚିତ୍ରରେ ସ୍ଥାନୀତ ପାଇଁ ଦାବୀ କଲେ ଅଞ୍ଚଳବାସୀ …

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା I ଏହି ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ଲକ ଠାରେ ଥିବା ପ୍ରାକୃତିର ଗନ୍ତାଘର କଳିଙ୍ଗା ଘାଟି ଏବଂ ଏହାର ଆଖପାଖ ଜଙ୍ଗଲ, ପାହାଡ଼, ପର୍ବତ, ଝରଣା, ଝାଉଁଵଣ, ବଟାନିକାଲ ଗାର୍ଡେନ, କାଲିଗାଡୁ, କାକାଲ ବାକି ଇତ୍ୟାଦି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି I ଏହା ସହ ଘୁ. ଉଦୟଗିରିର ଜଳବାୟୁ ପର୍ଯ୍ୟଟକଙ୍କ ପାଇଁ ବେଶ ଅନୁକୁଳ I ଶୀତ ଦିନ ସହ ବର୍ଷର ଅଧିକାଂଶ ସମୟ ଶୀତ ଅନୁଭୂତ ସହ କୁହୁଡ଼ି ଅନୁଭୂତ ହୋଇ ଥାଏ I ଯାହାକି ଦାର୍ଜିଲିଙ୍ଗ ଓ ଉଟି ଜଳବାୟୁ ସହ ସମାନ ହୋଇ ଥିବା କିଛି ପର୍ଯ୍ୟଟକ ମତପ୍ରକାଶ କରିଛନ୍ତି I କିନ୍ତୁ ପର୍ଯ୍ୟଟନ ବିଭାଗ ଏବଂ ବନ ବିଭାଗର ଅବହେଳା ଯୋଗୁଁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଯାଇଛି I ଏହି ସବୁ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନରେ ସ୍ଥାନୀତ ହେବା ବଦଳରେ ଅବହେଳିତ ହୋଇ ରହିବା ପରିତାପର ବିଷୟ I କନ୍ଧମାଳ ଜିଲ୍ଲା ଏକ ରେଳ ଏବଂ ଶିଳ୍ପ ବିହିନ ଜିଲ୍ଲା I ଏହି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା I ଜିଲ୍ଲାର ଯୁବ ପିଢ଼ି କାମଧନ୍ଦା ଅଭାବରୁ ଜୀବନ ଜୀବିକା ପାଇଁ ବାହାର ରାଜ୍ୟ ତଥା କେରଳ, ସୁରଥ, ବାଙ୍ଗାଲୁର, ଚେନେଇ, ମୁମ୍ବାଇ ଯାଇ ଦାଦନ ଖଟୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ବିଶାଳ କ୍ଷେତ୍ର ଥିବା ବେଳେ ତାର ସଦ ବ୍ୟବହାର କରାଯାଉ ନଥିବା ଅଭିଯୋଗ ହେଉଛି I ଘୁ.ଉଦୟଗିରିରେ ପର୍ଯ୍ୟୋପ୍ତ ପର୍ଯ୍ୟଟନ କ୍ଷେତ୍ର ଭରପୁର ରହି ଥିବା ସତ୍ୱେ ଏହାର ବିକାଶ ସହ ପ୍ରଚାର ପ୍ରସାର ଅଭାବ ଯୋଗୁଁ ପର୍ଯ୍ୟଟକଙ୍କ ପାଖକୁ ପହଞ୍ଚି ପାରି ନାହିଁ ପ୍ରକୃତିର ବରଦାନ I ଯାହା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ସନ୍ତୋଷ ଜନକ ନୁହେଁ I ଦୀର୍ଘ ବର୍ଷ ହେଲା ସ୍ଥାନିୟ ଅଞ୍ଚଳ ବାସି ଦାବି କରି ଆସୁଛନ୍ତି କଳିଙ୍ଗା ଘାଟି ସହ ଆଖପାଖରେ ଥିବା ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ଯଥା କଳିଙ୍ଗା ଘାଟି, ଝାଉଁ ବଣ, ବଟାନିକାଲ ଗାର୍ଡେନ, କାଲିଗାଡୁ ହିଲଟପ, ସିର୍କୀ ଡେମ, କଫି ବଗିଚା, ରାଜାଗାଡ଼ା ଜଳ ପ୍ରପାତ ଭଳି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଇକୋ ଟୁରିଜିମ ଘୋଷଣା କରିବା ସହ ଏହି ସ୍ଥାନ ଗୁଡିକର ବିକାଶ କରିବା I ଏହି ସବୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେଲେ ସ୍ଥାନୀୟ ଅଞ୍ଚଳର ବେକାରୀ ସଂଖ୍ୟା ହ୍ରାସ ପାଇବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ I କନ୍ଧମାଳ ଗଞ୍ଜମ ଜିଲ୍ଲାର ସୀମାର ପ୍ରବେଶ ପଥରେ କଳିଙ୍ଗା ଘାଟି ଅବସ୍ଥିତ I ଏହାର ଲମ୍ବା ୧୦କିମି I ସମୁଦ୍ର ପତ୍ତନ ଠାରୁ ୩ହଜାର ଫୁଟ ଉଚ୍ଚତାରେ କଳିଙ୍ଗା ଅବସ୍ଥିତ I କଳିଙ୍ଗା ଘାଟିର ମନୋରମ ଦୃଶ୍ୟ ସମସ୍ତଙ୍କୁ ଅଭିବୁତ କରିଥାଏ I ଘାଟିର ଗୋଟିଏ ପାର୍ଶ୍ଵରେ ସୁଉଚ୍ଚ ପାହାଡ଼ ପର୍ବତ ସବୁଜ ଜଙ୍ଗଲରେ ପରିପୂର୍ଣ୍ଣ ଅନ୍ୟ ପାର୍ଶ୍ଵରେ ବିଶାଳ ଗର୍ତ ଘାଟି ତଳେ ରହିଛି ସେଇଭଳି ଘଞ୍ଚ ଜଙ୍ଗଲ I ଘାଟି ଉପରୁ ପାହାଡ଼ ପର୍ବତ ଜଙ୍ଗଲ ଝରଣା କ୍ଷୁଦ୍ର ଜଳ ପ୍ରପାତର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରୁଛି I ଏତେ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପର ଵାଲା ଖୁନ୍ଦି ଦେଇଛି ହେଲେ ଆମ ପର୍ଯ୍ୟଟନ ବିଭାଗ ଏବଂ ବନ ବିଭାଗ ଏହାର ବିକାଶ ପାଇଁ ପଛଘୁଞ୍ଚା ଦେବାରେ ଲାଗିଛି I ଦୀର୍ଘ ଦିନର ଦାବି ପରେ ଘୁ.ଉଦୟଗିରି ସହର ନିକଟ ସିର୍କୀ ଡେମ ପାର୍ଶ୍ଵରେ ଏକ ଇକୋ ପାର୍କ ନିର୍ମାଣ ସରିଛି ଉଦଘାଟନ ଅପେକ୍ଷାରେ ରହିଛି I ଏବେ ବି ଇକୋ ଟୁରିଜିମ ଦାବି ନାଲି ଫିତା ତଳେ ପଡ଼ି ରହିଛି I ବର୍ତମାନ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟକଙ୍କ ରହିବା ସହ ବିଭିନ୍ନ ସୁବିଧା ଯୋଗେଇ ଦେବା ନିମନ୍ତେ କଳିଙ୍ଗା ଠାରେ ୬ ଗୋଟି କଟେଜ ନିର୍ମାଣ କରିବାକୁ ଅର୍ଥ ବ୍ୟୟ ବରାଦ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇ ପାରିନଥିବା ସୂଚନା ମିଳିଛି I ଚଳିତ ବର୍ଷ କନ୍ଧମାଳ ଜିଲ୍ଲାର ଆମ ରାଜ୍ୟ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଘୁ.ଉଦୟଗିରି ହୋଇ ଥିବା ବେଳେ ଓଡ଼ିଶାର ଦାର୍ଜିଲିଂ ଓ ଉଟି ଭାବେ ବେଶ ପରିଚିତ ହେବାରେ ଲାଗିଲାଣି I ଏହି ଦୃଷ୍ଟିରୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ତା ପୂର୍ବରୁ ୬ଗୋଟି କଟେଜ ନିର୍ମାଣ କରିବା ସହ ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି I ବନ ବିଭାଗର ଅବହେଳା ଓ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ କାଳୀଗାଡୁକୁ ନିର୍ମାଣ ହେଉ ଥିବା ରାସ୍ତା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରାହିଥିବାର ଦେଖା ଦେଇଛି I କନ୍ଧମାଳ ଜିଲ୍ଲାପାଳ ନିର୍ଦ୍ଧେଶ ସତ୍ତ୍ୱେ ମଧ୍ୟ କାଳୀଗାଡୁକୁ ନିର୍ମାଣ ହେଉ ଥିବା ରାସ୍ତା କାମ ପୁନଃ ଆରମ୍ଭ ହୋଇନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି I ଯାହା ପାଇଁ ପର୍ଯ୍ୟଟକ ହିଲଟପକୁ ଯାଇ ପାରୁନାହାନ୍ତି I ଏହା ସହ ସରକାରଙ୍କ ତରଫରୁ କଟେଜ, ଆଲୋକି କରଣ, ପାନୀୟ ଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରତିଶ୍ରୁତି ମିଳି ଥିଲେ ସୁଦ୍ଧା ନିର୍ମାଣ କାମ ଆରମ୍ଭ ହୋଇନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି I ତେଣୁ ପ୍ରଶାସନ ଏଥି ପ୍ରତି ଯତ୍ନବାନ ହୋଇ ଅଞ୍ଚଳର ବିକାଶ ନିମନ୍ତେ ଉକ୍ତ ପର୍ଯ୍ୟଟନସ୍ଥଳି ଗୁଡିକର ବିକାଶ ପାଇଁ ଘୁ.ଉଦୟଗିରି ବାସୀ ଦାବୀ କରିଛନ୍ତି I