ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା…

ଗୁଣୁପୁର(ସୁନୀଲ୍ କୁମାର ସାବତ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ ହୋଇ ଗୁଣପୁର ପାଇଁ ଗୌରବ ଆଣିଛି । ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏଶନ୍ ପକ୍ଷରୁ ଲେଭେଲ୍-୨ ପ୍ରତିଯୋଗିତା ଗତ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଟକ ଠାରେ ଅନୁଷ୍ଠିତ ହୋଇଥିଲା । ୧୩, ୧୭ ଓ ୧୯ ବର୍ଷରୁ କମ୍ ବୟସ ବର୍ଗର ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ପ୍ରାୟ ୬ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ରାୟଗଡ଼ା ଜିଲ୍ଲାରୁ ୧୨ ଜଣ ଖେଳାଳି ଯୋଗଦେଇଥିବା ବେଳେ ଗୁଣପୁରରୁ ୪ ଜଣ ଖେଳାଳି ଭାଗ ନେଇଥିଲେ । ୧୩ ବର୍ଷରୁ କମ୍ ବୟସ ବର୍ଗର ଡବଲ୍ସରେ ଗୁଣପୁରର ଶୁଭମ୍ ଦାସ ଓ ନବରଙ୍ଗପୁରର ସାଇରସ ଦଳବେହେରାଙ୍କ ଯୋଡ଼ି ଫାଇନାଲରେ ମୟୂରଭଞ୍ଜର ବିଶ୍ୱଭବ୍ୟ ବେହେରା ଓ ତେଜସ ବେହେରାଙ୍କ ଯୋଡ଼ିକୁ ୧୫-୧୦ ଓ ୧୫-୬ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି । ସେହିଭଳି ୧୭ ବର୍ଷରୁ କମ୍ ବୟସ ବର୍ଗରେ ଗୁଣପୁରର ସାଇଶ୍ରୀ ଶତପଥୀ ଓ ଲାଡି ନିର୍ମିତଙ୍କ ଯୋଡ଼ି ବିଜୟୀ ହୋଇଛନ୍ତି । ସେମାନେ ଖୋର୍ଦ୍ଧାର ବିଶ୍ୱଜିତ ହରିଚନ୍ଦନ ଓ ସାଇ ମହାରଣାଙ୍କ ଯୋଡ଼ିକୁ ୬-୧୫, ୧୫-୭ ଓ ୧୫-୬ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି । ଅନ୍ୟପକ୍ଷରେ ୧୯ ବର୍ଷରୁ କମ୍ ଡବଲ୍ସ ବର୍ଗରେ ରାୟଗଡ଼ାର ଅଂଶ ସିନା ଉପବିଜେତା ହୋଇଥିବା ବେଳେ ସିଙ୍ଗଲ୍ସରେ ବିଜୟୀ ହୋଇ ଚମ୍ପିୟାନ ହୋଇଛନ୍ତି । ପୁରସ୍କାର ବିତରଣୀ ସମାରୋହରେ ଚଳଚ୍ଚିତ୍ର ତାରକା ଶ୍ରୀତମ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ସିଲ୍ଡ୍ ପ୍ରଦାନ କରିଥିଲେ । ଗୁଣପୁରରେ ପହଞ୍ଚିବା ପରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୂଚନା ଯୋଗ୍ୟ, ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭମ୍ ଦାସ ପୂର୍ବରୁ ପଞ୍ଜାବରେ ମଧ୍ୟ ୧୩ ବର୍ଷରୁ କମ୍ ବୟସ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚମ୍ପିୟାନ ହୋଇଥିଲେ । ଗୁଣପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।