ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଦେହ ତାର ଭିନ୍ନକ୍ଷମ ହେଲେ ଦାନ କରିବାକୁ ମନ ସଂପୂର୍ଣ୍ଣ । ଏପରି ଏକ କାର୍ଯ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାମଗିରି ଠାରେ । ନାଆଟି ଯାର ସୁବାସ ଚନ୍ଦ୍ର ସାହୁ । ବୟସ ୩୫ ବର୍ଷ । ଜଣେ ଭିନ୍ନକ୍ଷମ । ନିଜଘର ଗଞ୍ଜାମ ଜିଲ୍ଲା ପାଟପୁର । ନିଜର ପେଟପାଟଣା ଲାଗି ପାଟପୁର ଛାଡି ରାମଗିରି ଚାଲିଆସି ଗତ ୨୦୧୨ ମସିହା ଠାରୁ ଆଜିଯାଏ ରାମଗିରି ହାଟପଦାରେ ଗୋଟିଏ ଛୋଟିଆ କ୍ୟାବିନ ଟିଏ କରି ଚାହା ବିକ୍ରି କରି ନିଜର ପରିବାରକୁ ଚଳେଇଥାନ୍ତି । ଦୀର୍ଘ ବର୍ଷ ହେଲା ଚାହା ବିକ୍ରିକରିବା ସହିତ ଲୋକଙ୍କ ଭଲପାଇବା ସାଉଁଟିଛନ୍ତି ସୁବାସ । ଅଞ୍ଚଳବାସୀ ତ ସେଠି ଖଟିସହ ଚାହା ପିଇଥାନ୍ତି ସତ । ତହିଁ ସାଥେସାଥେ ରାସ୍ତାରେ ଯାଉଥିବା ଅନେକ ଯାନବାହାନରେ ଯାଉଥିବା ଯାତ୍ରୀ ମଧ୍ୟ ଅଟକି ଥାନ୍ତି ସୁବାସ ଚାହା ଦୋକାନରେ । ଚାହାପିଇ ପଇସା ଦିଅନ୍ତି ସତ କିନ୍ତୁ ଲାଗେ ମାଗଣା ଚାହା ଦୋକାନ । ସେଥିପାଇଁ ବୋଧେ ଲୋକଙ୍କ ଏତେ ଭିଡ । ନା ଆଜ୍ଞା ମାଗଣା ଚାହା ନୁହଁ ଲୋକଙ୍କୁ ଟାଣି ଆଣେ ସୁବାସର ବ୍ୟବହାର । ଆଜି ପୁଣି ସୁବାସ ଚହଳ ପକେଇଛି ଏଇ ଅଞ୍ଚଳରେ । ଆଜି ପବିତ୍ର କାର୍ତ୍ତିୀକ ପୂର୍ଣ୍ଣିମାରେ ଅଞ୍ଚଳର ଲୋକଙ୍କୁ ଓ ରାସ୍ତାରେ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଆଜି ଦିନ ତମାମ ମାଗଣା ଚାହା ପିଆଇ ସମସ୍ତଙ୍କୁ ଖୁସି କରିବା ସାଥେ ସାଥେ ଦେଖେଛନ୍ତି ନିଜର ମଣିଷ ପଣିଆ । ସୂଚନାରୁ ଜଣାପଡିଛି ଯେ, ସୁବାସ କେବଳ ଆଜି ହିଁ ନୂହେଁ, ପ୍ରତି ବର୍ଷରେ ଥରେ କିବା ଦୁଇଥର ଏପରି ମାଗଣରେ ଲୋକଙ୍କୁ ଚାହା ବାଣ୍ଟୁଥିବା କିଛି ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଛି । ସୁବାସଙ୍କ ଏପରି ମହାନତା ପାଇଁ ଅଞ୍ଚଳରେ ବେସ୍ ଚର୍ଚା ହେଉଥିବା ଦେଖିବାକୁ ମିଳିଛ ।