ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ନୂଆସାହି ବାପ୍ଟିଷ୍ଟ ମଣ୍ଡଳୀର ୧୦୭ତମ ପ୍ରତିଷ୍ଠା ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ମଣ୍ଡଳୀର ପାଳକ ଆଚାର୍ଯ୍ୟ କ୍ଷମାଶିଳ ବାଗଙ୍କ ନେତୃତ୍ୱରେ ତିନିଦିନିଆ ଧାର୍ମିକ ଓ ସାଂସ୍କୃତିକ ସାହିତ ସ୍ଥାପନ ଦିବସ ଉତ୍ସବ ଆୟୋଜିତ ହୋଇଥିଲା । ଶନିବାର ଅପରାହ୍ନରେ ଉତ୍ସବର ଉଦ୍ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ମଣ୍ଡଳୀର ଉପସଭାପତି ଆଚାର୍ଯ୍ୟ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ମାଇକେଲ ନାଗ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ । ରବିବାର ମଧ୍ୟ ପାଳକ ଆଚାର୍ଯ୍ୟ କ୍ଷମାଶିଳ ବାଗଙ୍କ ପରିଚାଳନାରେ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ସୋମବାର ୨୩ ତାରିଖରେ ପ୍ରତିଷ୍ଠା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମଣ୍ଡଳୀର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ପ୍ରମୋଦ ରଞ୍ଜନ ନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଉପସ୍ଥିତ ବିଶ୍ୱାସୀମାନଙ୍କୁ ୧୦୭ତମ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ସ୍ବାଗତ ଜଣାଇଥିଲେ । ଏହି ଅବସରରେ ଦିପ୍ତିପୁରରୁ ଆସିଥିବା ମୁଖ୍ୟ ବକ୍ତା ଆଚାର୍ଯ୍ୟ ମାଇକେଲ ନାଗ ବାଇବଲର ମାର୍କ ୨:୧-୫ ପଦକୁ ଆଧାର କରି ‘ଆତ୍ମସମୀକ୍ଷା’ ବିଷୟରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ । “ନିଜ ଜୀବନ ଓ ଆଚରଣର ସାକ୍ଷ୍ୟ ଦେଖି ଅନ୍ୟମାନେ କାହିଁକି ଯୀଶୁଙ୍କ ନିକଟକୁ ଆସୁନାହାନ୍ତି”, ସେ ନେଇ ପ୍ରତ୍ୟେକ ବିଶ୍ୱାସୀ ନିଜକୁ ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶପ୍ ଆଚାର୍ଯ୍ୟ ଅବେଦ ନାୟକ, ଆଚାର୍ଯ୍ୟ ରାଜକିଶୋର ଦିଗାଲ ଓ ଆଚାର୍ଯ୍ୟ ସୁଧାଂଶୁ ନାୟକ ଯୋଗଦେଇଥିଲେ । ପରେ କେକ୍ କାଟି ମଣ୍ଡଳୀର ୧୦୭ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏଥିରେ ୪୦୦ରୁ ଊର୍ଦ୍ଧ୍ୱ ବିଶ୍ୱାସୀ ଯୋଗଦେଇଥିଲେ । ମହିଳା ସମିତି ଓ ଉଦ୍ଯୋଗ ସମିତିର କର୍ମକର୍ତ୍ତାମାନେ ସଙ୍ଗୀତ ପରିବେଷଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଆଲବିନ ନାୟକ, ଚେତନ କୁମାର ନାୟକ, ଅଭିଜିତ ନାୟକ, ହିରେନ ନାୟକଙ୍କ ସମେତ ବହୁ ଯୁବକ ଓ ମଣ୍ଡଳୀର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୋମବାର ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଉପସ୍ଥିତ ଅତିଥି, ବିଶ୍ୱାସୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇ ତିନିଦିନିଆ ଉତ୍ସବର ସମାପନ କରାଯାଇଥିଲା ।