ଭଞ୍ଜନଗର(ନିଲୁ ବିଷୋୟୀ): ରାତି ଅଧରେ କବାଟ ଭାଙ୍ଗି ଘରେ ପଶିଲେ, ଶୋଇଥିବା ପରିବାର ଲୋକଙ୍କ ବେଡ୍ରୁମ୍ କବାଟ ବାହାରପଟୁ ବନ୍ଦ କରିଦେଲେ । ଘର ସାରା ଖୋଜାଖୋଜି କରି ସୁନା, ରୂପା ଅଳଙ୍କାର ଓ ଟଙ୍କା ଲୁଟିବା ସହ ଠାକୁର ଘରକୁ ମଧ୍ୟ ଛାଡ଼ିଲେନି । ଏତିକିରେ ସନ୍ତୁଷ୍ଟ ନହୋଇ ଘରେ ଏସି ଲଗାଇବା ସହ ଫ୍ରିଜ୍ରୁ ଖିର ବାହାର କରି ଚା’ ପିଇଥିବା ଭଳି ଅଜବ କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ଶିବ ପ୍ରସାଦ ସାହୁଙ୍କ ଘରେ ଏଭଳି ଚୋରି ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟାରେ ଶ୍ରୀ ସାହୁ ପରିବାର ସହ ଶୋଇଥିବା ବେଳେ ଭୋର୍ ୪ଟାରେ ଉଠି ବେଡ୍ରୁମ୍ କବାଟ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପୁଅକୁ ଫୋନ୍ କରିବା ପରେ ତାଙ୍କ କବାଟ ମଧ୍ୟ ବାହାରପଟୁ ବନ୍ଦ ଥିବା ଜାଣି ପଡ଼ୋଶୀ ପୁତୁରାଙ୍କ ସହାୟତା ନେଇଥିଲେ । କବାଟ ଖୋଲିବା ପରେ ବାରିପଟେ ଥିବା ୩ଟି କବାଟ ଭାଙ୍ଗି ଦୁର୍ବୃତ୍ତ ଘରେ ପଶି ଚୋରି କରିଥିବା ଜଣାପଡ଼ିଥିଲା । ଦୁର୍ବୃତ୍ତମାନେ ପ୍ରାୟ ୧୨ରୁ ୧୫ ଭରି ସୁନା ଅଳଙ୍କାର, ୨୫୦ରୁ ୩୦୦ ଗ୍ରାମ ରୂପା ଅଳଙ୍କାର ଓ ୧୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଭଞ୍ଜନଗର ପୁଲିସ କେସ୍ ନମ୍ବର ୧୨୭୫ରେ ମାମଲା ରୁଜୁ କରିଛି । ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ଛାନ୍ଭିନ୍ କରିଥିବା ବେଳେ ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ମଧ୍ୟ ତଦନ୍ତ କରିଛନ୍ତି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି । ଘଟଣାକୁ ନେଇ କୁଲାଡ଼ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଚୋରି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି ।