ଭଞ୍ଜନଗର(ନିଲୁ ବିଷୋୟୀ): ଘୁମୁସର ମାଟିର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାର ଏକ ବିରଳ ନିଦର୍ଶନ ହେଉଛି ବଡ଼କୋଦଣ୍ଡାର ପ୍ରସିଦ୍ଧ ଡେରାବେଶ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ଅନନ୍ୟ ଲୋକକଳା ଉତ୍ସବ ଭକ୍ତି, ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଥିବାବେଳେ ଏହାକୁ ଦେଖିବା ପାଇଁ ବଡ଼କୋଦଣ୍ଡା ଗ୍ରାମରେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଏହି ଡେରାବେଶର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି କାଠରେ ନିର୍ମିତ ବିଶାଳ ଓ ଆକର୍ଷଣୀୟ କଳାକୃତି । ହାତୀ, ବାଘ, ସିଂହ, ଘୋଡ଼ା, ମୟୂର, ନବଗୁଞ୍ଜର ଆଦି ବିଭିନ୍ନ ପଶୁପକ୍ଷୀଙ୍କ ପ୍ରତିକୃତି ସହ ରାମାୟଣର ପୌରାଣିକ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନ ମୋହିଥିଲା । କାଠରେ ଜୀବନ୍ତ ରୂପ ଦେବାର କାରିଗରୀ କୌଶଳ, ସୁନ୍ଦର ରଙ୍ଗବିନ୍ୟାସ ଓ ଆଭୂଷଣର ସଜ୍ଜା ଏହି କଳାର ସ୍ୱତନ୍ତ୍ରତାକୁ ପ୍ରତିପାଦିତ କରିଥିଲା । ଗ୍ରାମର ବଡ଼ଦାଣ୍ଡରେ ପ୍ରଦର୍ଶିତ ଏହି କଳାକୃତିଗୁଡ଼ିକ ଯେପରି ଏକ ଜୀବନ୍ତ ଲୋକକଳା ସଂଗ୍ରହାଳୟର ରୂପ ନେଇଥିଲା । ପ୍ରତ୍ୟେକ କଳାକୃତି ପଛରେ ରହିଥିବା କାରିଗରଙ୍କ କଳ୍ପନା, ଧୈର୍ଯ୍ୟ, ଦକ୍ଷତା ଓ ଦୀର୍ଘଦିନର ପରିଶ୍ରମ ଏହି ଉତ୍ସବକୁ ଅଧିକ ସ୍ୱତନ୍ତ୍ର କରିଥିଲା । ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଗ୍ରାମବାସୀ ନିଜର ସାଂସ୍କୃତିକ ପରିଚୟ ଭାବେ ବଞ୍ଚାଇ ରଖିଆସିଛନ୍ତି । ବିଶେଷକରି ଆଧୁନିକ ଯୁଗରେ ଅନେକ ପାରମ୍ପରିକ ଲୋକକଳା ଓ କାରିଗରୀ ଧୀରେ ଧୀରେ ଅବଲୁପ୍ତ ହେବାକୁ ବସିଥିବାବେଳେ ବଡ଼କୋଦଣ୍ଡାର ଡେରାବେଶ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ନିଶ୍ଚିତ ଭାବେ ଗୌରବର ବିଷୟ । ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ବରଂ ଘୁମୁସର ମାଟିର ଐତିହ୍ୟ, ଲୋକବିଶ୍ୱାସ, ସୃଜନଶୀଳତା ଓ ସାମୂହିକ ଏକତାର ଜୀବନ୍ତ ପ୍ରତୀକ । ତେବେ ଏତେ ସମୃଦ୍ଧ ଓ ବିରଳ ଲୋକକଳା ଆଜି ମଧ୍ୟ ସରକାରୀ ସ୍ତରରେ ଅଧିକ ପରିଚୟ ଓ ପ୍ରୋତ୍ସାହନ ଅପେକ୍ଷାରେ ରହିଛି । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏହି ଅନନ୍ୟ ପରମ୍ପରା ପ୍ରତି ଦୃଷ୍ଟି ଦେବା ସହ ଏହାର ସଂରକ୍ଷଣ, ଉନ୍ନତି ଓ ରାଜ୍ୟସ୍ତରୀୟ ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବି ହୋଇଛି । କଳାକାରଙ୍କୁ ଆର୍ଥିକ ସହାୟତା, ଆବଶ୍ୟକ ପ୍ରଶିକ୍ଷଣ ଓ ଉପଯୁକ୍ତ ସମ୍ମାନ ମିଳିଲେ ଏହି ପରମ୍ପରା ଆହୁରି ଉଚ୍ଚତାକୁ ଯାଇପାରିବ ବୋଲି ମତ ପ୍ରକାଶ ପାଇଛି । ଘୁମୁସର ମାଟିର ଏହି ଅମୂଲ୍ୟ ସାଂସ୍କୃତିକ ସମ୍ପଦକୁ କେବଳ ଗୋଟିଏ ଗ୍ରାମର ପରମ୍ପରା ଭାବେ ସୀମିତ ନରଖି ରାଜ୍ୟ ଓ ଜାତୀୟ ସ୍ତରରେ ପରିଚିତ କରାଇବାର ଆବଶ୍ୟକତା ରହିଛି । ଏଥିପାଇଁ ସରକାର, ସଂସ୍କୃତିପ୍ରେମୀ ଓ ସାଧାରଣ ଜନତାଙ୍କ ସହଯୋଗ ମିଳିଲେ ବଡ଼କୋଦଣ୍ଡାର ଡେରାବେଶ ଆଗାମୀ ପିଢ଼ି ପାଇଁ ଏକ ଗୌରବମୟ ଐତିହ୍ୟ ହୋଇ ରହିପାରିବ ।