ଭଞ୍ଜନଗର(ନିଲୁ ବିଷୋୟୀ): କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ୬ ବର୍ଷର ଚୁକ୍ତିଭିତ୍ତିକ କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ସହ ମୂଳ ଚାକିରିରେ ଗଣନା ଦାବିରେ ପ୍ରାଥମିକ ଶିକ୍ଷକ ସଂଘ ଭଞ୍ଜନଗର ବ୍ଲକ୍ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ବ୍ଲକ୍ ସଭାପତି ଜଗଦୀଶ ନାୟକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଏହି ଦାବିପତ୍ର ଦିଆଯାଇଛି । ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ସୁପାରିସ ଆଧାରରେ ଗତ ୧୩ ନଭେମ୍ବରରେ ଦାବି ଘୋଷଣା ହୋଇଥିଲେ ମଧ୍ୟ ଉପରୋକ୍ତ ଦୁଇ ଦାବି ପୂରଣ ହୋଇନଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆସନ୍ତା ୨୫ ନଭେମ୍ବର ସୁଦ୍ଧା ଦାବି ପୂରଣ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ନଚେତ୍ ୨୭ ନଭେମ୍ବରରୁ ରାଜ୍ୟ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ ସଂଘ ପକ୍ଷରୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ହୋଇଥିଲା । ବୈଠକରେ ସଭାପତି, ସମ୍ପାଦକ, ସଂଘର ସଦସ୍ୟ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।