ବନ୍ୟା ଓ ଭୂସ୍ଖଳନ ପୀଡ଼ିତଙ୍କୁ ସହାୟତା…

ଭଞ୍ଜନଗର(ନିଲୁ ବିଷୋୟୀ): ବନ୍ୟା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଡ.ଅସୀମା ପଣ୍ଡା । ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଓ ତଡ଼ମା ଏବଂ କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ଼ ଗ୍ରାମର ବିପନ୍ନ ପରିବାରଙ୍କୁ ବିଭିନ୍ନ ଘରୋଇ ସାମଗ୍ରୀ ପ୍ରଦାନ କରାଯାଇଛି । ତାଙ୍କ ସହାୟତାରେ ଭଞ୍ଜନଗର କେଏସ୍‌ୟୁବି କଲେଜର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ସ୍ୱେଚ୍ଛାସେବୀ, ବିପଦର ବନ୍ଧୁ କର୍ମକର୍ତ୍ତା ଓ କେ.ଈଶ୍ୱର ଆଚାରୀ ପ୍ରମୁଖ ଗ୍ରାମଗୁଡ଼ିକରେ ପହଞ୍ଚି ସହାୟତା ବଣ୍ଟନ କରିଥିଲେ । ଭିଡିଓ କଲ୍‌ ମାଧ୍ୟମରେ ଡ.ଅସୀମା ପଣ୍ଡା ବିପନ୍ନ ପରିବାରଙ୍କ ସହ କଥା ହୋଇ ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହ ଆଗକୁ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆଶ୍ୱାସନ ଦେଇଥିଲେ । ଗିଡ଼ିପାବାଲିରେ ଭୂସ୍ଖଳନରୁ ବର୍ତ୍ତିଥିବା ୨ଟି ପରିବାର ଓ ନିକଟସ୍ଥ ତଡ଼ମା ଗ୍ରାମର ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ଼ରେ ନାଳ ପାର୍ଶ୍ୱରେ ଥିବା ୧୭ଟି ଘର ବନ୍ୟାଜଳରେ ଭାଙ୍ଗିଯାଇଥିବା କ୍ଷତିଗ୍ରସ୍ତ ପରିବାରଙ୍କୁ ମଧ୍ୟ ସହାୟତା ଦିଆଯାଇଥିଲା । ଏହି ପରିବାରଗୁଡ଼ିକ ବର୍ତ୍ତମାନ ଆଶ୍ରୟସ୍ଥଳୀରେ ରହୁଛନ୍ତି । ଏହି ସହାୟତା କାର୍ଯ୍ୟକ୍ରମରେ ପ୍ରାକ୍ତନ ନଗରପାଳ ସୁଧୀର ରଞ୍ଜନ ବେହେରା, ଈଶ୍ୱର ଆଚାରୀ, ବିପଦର ବନ୍ଧୁ କର୍ମକର୍ତ୍ତା ଅରକ୍ଷିତ ପରିଚ୍ଛା, ଶୂଳପାଣି ଶତପଥୀ, ଅଧ୍ୟାପକ ତ୍ରିନାଥ ବେହେରା, ବିଶ୍ୱମ୍ବର ଜେନା ଓ ଏନ୍‌ଏସ୍‌ଏସ୍‌ ଅଧିକାରୀ ବାବୁଲା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମାନବିକ ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।