ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ‘ଦମନ’ (DAMAN) ମେଲେରିଆ ମୁକ୍ତ ଗାଁ ଓ ମେଲେରିଆ ମୁକ୍ତ କନ୍ଧମାଳ କାର୍ଯ୍ୟକ୍ରମ ସଫଳତାର ସହ ପରିସମାପ୍ତ ହୋଇଛି । ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୨୪ ତାରିଖରେ ଶେଷ ହୋଇଛି । ମୁଖ୍ୟତଃ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମେଲେରିଆ ମୁକ୍ତ ରଖିବା ଏବଂ ରୋଗର ଶୀଘ୍ର ଚିହ୍ନଟ ଓ ଚିକିତ୍ସା ଉଦ୍ଦେଶ୍ୟରେ ‘ଦମନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମୋଟ ୧୬ଟି ସବ୍ସେଣ୍ଟର ଅଧୀନରେ ୩୦ଟି ଦୁର୍ଗମ ଗ୍ରାମରେ DAMAN କ୍ୟାମ୍ପ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଶା (ASHA), ଅଙ୍ଗନୱାଡ଼ି କର୍ମୀ (AWW), ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ [MPHW(F)], ସିଏଚ୍ଓ (CHO)ଙ୍କ ସମେତ ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡ଼ି ଆରୋଗ୍ୟ ପ୍ଲସ୍ ଟିମ୍ର କର୍ମଚାରୀମାନେ ନିୟୋଜିତ ହୋଇଥିଲେ । କାର୍ଯ୍ୟକ୍ରମ ସମୟରେ ମୋଟ ୪,୮୯୦ ଜଣଙ୍କ ମେଲେରିଆ ପରୀକ୍ଷା କରାଯାଇଥିବା ବେଳେ ମାତ୍ର ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ୬୩ ଜଣ ଗର୍ଭବତୀ ମହିଳାଙ୍କ ANC (ପ୍ରସବ ପୂର୍ବ ସ୍ୱାସ୍ଥ୍ୟ ପରୀକ୍ଷା) ଏବଂ ୪୮ ଜଣଙ୍କ PNC (ପ୍ରସବୋତ୍ତର ସ୍ୱାସ୍ଥ୍ୟ ପରୀକ୍ଷା)କରାଯାଇଥିଲା । ଏଥିସହିତ ଶୂନରୁ ୫ ବର୍ଷ ବୟସର ୪୦୮ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇଥିବା ସୂଚନା ମିଳିଛି । ଏହି ସମସ୍ତ କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଯାକେଶ କୁମାର ସାମନ୍ତରାୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ରମ ପରିଚାଳକ (BPM) ଶାନ୍ତନୁ କୁମାର ସାହୁ, ସାର୍ବଜନୀନ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ (PHEO) ସୁବ୍ରତ ଶତପଥୀ, ଭେକ୍ଟର ଜନିତ ରୋଗ ପ୍ରାଯୁକ୍ତିକ ସୁପରଭାଇଜର (VBDTS) ଅମୂଲ୍ୟ ରତ୍ନ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ଦୁର୍ଗମ ଅଞ୍ଚଳରେ ମେଲେରିଆ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି ‘ଦମନ’ କାର୍ଯ୍ୟକ୍ରମ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଇଛି ।