ସାପ୍ତାହିକ ହାଟର ଶୁଭାରମ୍ଭ କଲେ ବିଧାୟକ ରୂପେଶ ପାଣିଗ୍ରାହୀ: ଦୂରଦୂରାନ୍ତରୁ ଆସିଲେ ବ୍ୟବସାୟୀ, ଜମିଲା କିଣାବିକା….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ରେ ବହୁ ପ୍ରତୀକ୍ଷିତ ଐତିହାସିକ ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଛି । ସରପଞ୍ଚ ସୁଲୋମି ଶବରଙ୍କ ନେତୃତ୍ୱରେ ଏକ ହାଟ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ରାଜାରାଓ ବଡ଼ନାୟକ ସମ୍ପାଦକ ସୁରେଶ ନାଗ, ମାଲ୍ୟବନ୍ତ ବଡ଼ଦଳାଇ ସହ ସମ୍ପାଦକ, ସୁବାଷ ମାଛ କୋଷାଧକ୍ଷ ସମେତମୋଟ ଦଶ ଜଣ କମିଟି ରହି ହାଟର ପ୍ରଚାର ପ୍ରସାର କରିଥିଲେ l ନୂତନ ଭାବରେ ହାଟ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା । ହାଟ ଉଦ୍‌ଘାଟନ ଅବସରରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବହୁ ବ୍ୟବସାୟୀ ଆସି ନିଜ ନିଜ ସାମଗ୍ରୀର ପସରା ମେଲାଇଥିଲେ ।ଏହି ଉଦ୍‌ଘାଟନ ଉତ୍ସବରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାଟର ଶୁଭ ଉଦ୍‌ଘାଟନ କରିଥିଲେ । ହାଟ ଆରମ୍ଭ ହେବା ଫଳରେ ଅଜୟଗଡ଼ ସମେତ ଆଖପାଖ ଅଞ୍ଚଳର ଲୋକଙ୍କୁ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ କିଣାବିକା ପାଇଁ ସୁବିଧା ମିଳିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି । ହାଟର ପ୍ରଥମ ଦିନରେ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ନିଜ ଅଞ୍ଚଳର ଉତ୍ପାଦିତ ବିଭିନ୍ନ ସାମଗ୍ରୀ ନେଇ ଆସିଥିବାବେଳେ ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ପସରା ପକାଇଥିଲେ । ଫଳରେ ହାଟ ପରିସରରେ କିଣାବିକାର ମାହୋଲ ଜମିଥିଲା । ବିଶେଷକରି ଦୂରଦୂରାନ୍ତରୁ ବ୍ୟବସାୟୀମାନେ ଅଜୟଗଡ଼କୁ ଆସି ହାଟରେ ନିଜର ଦୋକାନ ଖୋଲିଥିବାରୁ ହାଟଟି ଅଧିକ ଆକର୍ଷଣୀୟ ହୋଇଥିଲା । ଏହି ହାଟ ଆଗାମୀ ଦିନରେ ସ୍ଥାନୀୟ ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ନିଜ ଉତ୍ପାଦ ବିକ୍ରି କରିବାର ଏକ ଭଲ ମାଧ୍ୟମ ହେବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ଉଦ୍‌ଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଗୁମ୍ମା ବିଡିଓ ଦୁଲାରାମ ମାରାଣ୍ଡି, ତହସିଲଦାର ଶରତ ଶବର ଏବଂ ଏଲ୍‌ଏସ୍‌ଡିଏ ମୁଖ୍ୟ ଆକାଶ ଡିଗାଲଙ୍କ ସମେତ ଅନ୍ୟାନ୍ୟ ଅତିଥି, ଜନପ୍ରତିନିଧି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁରେଶ ଚନ୍ଦ୍ର ନାଗ ପରିଚାଳନା କରିଥିଲେ l ଅଜୟଗଡ଼ରେ ଏହି ହାଟର ଶୁଭାରମ୍ଭ ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କ କିଣାବିକା ସୁବିଧା ସହିତ ଛୋଟ ବ୍ୟବସାୟୀ, ଚାଷୀ ଓ ସ୍ଥାନୀୟ ଉତ୍ପାଦକମାନେ ନିଜ ସାମଗ୍ରୀ ବିକ୍ରି କରି ଆର୍ଥିକ ଭାବେ ଲାଭବାନ ହେବାର ସୁଯୋଗ ପାଇବେ । ହାଟଟି ନିୟମିତ ଭାବେ ଚାଲିଲେ ଅଜୟଗଡ଼ ଅଞ୍ଚଳର ବାଣିଜ୍ୟିକ କାରବାରକୁ ଏହା ଆହୁରି ଗତିଶୀଳ କରିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି ।