କନ୍ଧମାଳର ଅସ୍ମିତା ଓ ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଦାବୀକୁ ନେଇ ମିଳିତ ମଞ୍ଚର ବୈଠକ, ଏକାଠି ହେଲେ ସମସ୍ତ ରାଜନୀତିକ ଦଳ ବିଭିନ୍ନ ସଂଗଠନ…
ବରିଷ୍ଠ ନେତାମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଅସ୍ମିତା ଓ ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଦାବୀକୁ ନେଇ ଜାତି, ଧର୍ମ, ବର୍ଣ୍ଣ ଓ ବିଭିନ୍ନ ରାଜନୀତିକ ଦଳ ମତ ନୀର୍ବିଶେଷରେ କୁଇ ସମାଜର କାର୍ଯ୍ୟକାରୀ ସଭାପତି ଘନେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଳକ ସଂଘ ଗୋଷ୍ଠୀ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ବିଭିନ୍ନ ବର୍ଗର ଲୋକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସମ୍ପ୍ରଦାୟର ପ୍ରତିନିଧିମାନେ ଉପସ୍ଥିତ ରହି କେତେକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରି ସମସ୍ତଙ୍କ ପ୍ରସ୍ତାବ ଓ ଆଲୋଚନା ପରେ କନ୍ଧମାଳ ଅସ୍ମିତାକୁ ବଜାୟ ରଖିବା, ଦାରିଙ୍ଗବାଡ଼ି ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ବିଭିନ୍ନ ମୌଳିକ ଦାବି ପୂରଣ ପାଇଁ ଏକ ମଞ୍ଚ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ବିଶେଷକରି କନ୍ଧମାଳ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ନାମ ପରିବର୍ତ୍ତନକୁ ବିରୋଧ କରିବା, ସର୍ବ ସାଧାରଣ ସଭାରେ କନ୍ଧମାଳ ଜିଲାର ‘ଚର୍ଚ୍ଚ ଗୁଡ଼ିକୁ ଟାର୍ଗେଟ କରି ’ ପ୍ରଶାସନର ଉପସ୍ଥିତିରେ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଭାଷଣ ଦେବା ସହ କନ୍ଧମାଳରେ ଅଶାନ୍ତର ବାତାବରଣ ସୃଷ୍ଟି କରିବା ଭଳି ମନ୍ତବ୍ୟ ଦେବା ବିଷୟ ଯାହାକି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ବିଷୟକୁ ବିରୋଧ କରିବା, ଦାରିଙ୍ଗବାଡ଼ିଠାରେ ଡିଗ୍ରୀ କଲେଜ୍ ସ୍ଥାପନ କରିବା, ବାଲିଗୁଡ଼ାକୁ ଜିଲ୍ଲା ମାନ୍ୟତା ପ୍ରଦାନ କଲେ ଦାରିଙ୍ଗବାଡିକୁ ଉପଖଣ୍ଡ ମାନ୍ୟତା ଏବଂ ବ୍ରାହ୍ମଣୀଗାଁରେ ନୂତନ ବ୍ଲକ ପ୍ରତିଷ୍ଠା ଆଦି ବିଭିନ୍ନ ଦାବୀକୁ ନେଇ ମଞ୍ଚ ପକ୍ଷରୁ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା । ଏହି ଅବସରରେ ‘ଦାରିଙ୍ଗବାଡ଼ି ମିଳିତ ମଞ୍ଚ’ର ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ମଞ୍ଚର ସଭାପତି ଭାବେ ପୂର୍ବତନ ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ବରିଷ୍ଠ ନେତା ଅମୀର ଚାନ୍ଦ ନାୟକ, ସମ୍ପାଦକ ଭାବେ ପ୍ରଶାନ୍ତ ନାୟକ, ସହସମ୍ପାଦକ ଭାବେ ଶରତ ପ୍ରଧାନ ଓ ରଞ୍ଜନ ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବେ କ୍ଷୀରବ୍ଧ ନାୟକଙ୍କୁ ଚୟନ କରାଯାଇଥିଲା ଏବଂ ସକ୍ରିୟ ସଭ୍ୟ ଭାବେ ବିଳାସିନୀ ନାୟକ, କାଳୀ ପ୍ରସାଦ ମଲ୍ଲିକ, ସୀମାଞ୍ଚଳ ନାୟକ, ଶ୍ୟାମଘନ ପ୍ରଧାନ, ରମାକାନ୍ତ ବଳିୟାରସିଂହ, ନାଗେଶ୍ୱର ପ୍ରଧାନ, ନହ ପ୍ରଧାନ, ତିଆଡ଼ି ନାୟକ, ସୁନୀଲ ପ୍ରଧାନ, ବିକ୍ରମ ବସ୍ତରାୟ, ସଲମନ ମାଝୀ ଏବଂ ଚିତ୍ରସେନ କାର୍ଜିମାଝୀଙ୍କୁ ଚୟନ କରାଯାଇ ଥିଲା । ଏହାବ୍ୟତୀତ ଅଞ୍ଚଳରେ ଭାଇଚାରା ବଜାୟ ରଖିବା, ସାମାଜିକ ସଦ୍ଭାବନା ରକ୍ଷା କରିବା ଏବଂ ଦାରିଙ୍ଗବାଡ଼ି ଅଞ୍ଚଳର ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ଆଗାମୀ ଦିନରେ ବ୍ଲକ ଓ ଜିଲ୍ଲା ସ୍ତରରେ କନ୍ଧମାଳର ମହାଜନତା ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିବା ବେଳେ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ଥିବା ଦେଖିବାକୁ ମିଳିଛି ।