ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ଵ ହକିର ପ୍ରାଣକେନ୍ଦ୍ର ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମକୁ ପ୍ରାୟ ଏକ ବର୍ଷ ସାତ ମାସର ଅପେକ୍ଷା ପରେ ଫେରିବ ଆନ୍ତର୍ଜାତୀୟ ହକି। ଏହା କେବଳ ଭୁବନେଶ୍ବର ପାଇଁ ନୁହଁ ବରଂ ଦେଶରେ ଆୟୋଜିତ ହେବାକୁ ଥିବା ପ୍ରଥମ ବହୁରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ, ଯାହା କାରୋନା ମହାମାରୀ ସମୟରେ ଆୟୋଜିତ ହେବ। ତାହା ପୁଣି ଆଉ ଏକ ବିଶ୍ଵକପ। ବିଶ୍ଵର ୧୬ ଟି ଶ୍ରେଷ୍ଟ କନିଷ୍ଠ ହକି ଦଳ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବା ପାଇଁ ଭୁବନେଶ୍ବର ଆସିବେ। ବିଶ୍ଵସ୍ତରୀୟ ହକି ପ୍ରତିଯୋଗୀତା ଆୟୋଜନ କରିବା ଓଡ଼ିଶା ପାଇଁ ନୂଆଁ କଥା ନୁହେଁ। ୨୦୧୪ ଚମ୍ପିୟନ୍ସ ଟ୍ରଫି, ୨୦୧୭ ବିଶ୍ଵ ହକି ଲିଗ ଫାଇନାଲ୍ସ ୨୦୧୮ ହକି ବିଶ୍ଵକପ, ୨୦୧୯ ଏଫଆଇଏଚ ସିରିଜ ଫାଇନାଲ୍ସ, ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ, ଏଫଆଇଏଚ ପ୍ରୋ ଲିଗ ଭଳି ଅନ୍ତଃରାଷ୍ଟ୍ରୀୟ ପ୍ରତିଯୋଗୀତା ସଫଳତାର ସହ ଆୟୋଜନ କରି କଳିଙ୍ଗ ଷ୍ଟାଡିୟମ ବିଶ୍ଵ ହକିର ପ୍ରାଣକେନ୍ଦ୍ର ହେବାର ଗୌରବ ଲାଭ କରିଛି। କିନ୍ତୁ କନିଷ୍ଠ ବିଶ୍ଵକପ ୨୦୨୧ କାରୋନା କାଳରେ ଆୟୋଜନ ହେଉଥିବାରୁ ଏହା ରାଜ୍ୟ ସରକାର ଓ ହକି ଇଣ୍ଡିଆ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ।
ଏହି ମର୍ଯ୍ୟାଦାଜନକ ପ୍ରତିଯୋଗୀତା ଉପରେ ସାରା ବିଶ୍ଵର ନଜର ରହିଛି। ଟୋକିଓ ଅଲମ୍ପିକ୍ସର ହକି ପ୍ରତିଯୋଗୀତାକୁ ଛାଡିଦେଲେ ସାରା ବିଶ୍ଵରେ କୌଣସି ପ୍ରମୁଖ ବହୁରାଷ୍ଟ୍ରୀୟ ହକି ପ୍ରତିଯୋଗୀତା ଏପର୍ଯ୍ୟନ୍ତ ଆୟୋଜନ ହୋଇନାହିଁ। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ରାଜ୍ୟ ସରକାର ଓ ହକି ଇଣ୍ଡିଆ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗୀତା ଆୟୋଜନ କରିବାର ନିଷ୍ପତ୍ତି ନେବା ବେଶ ପ୍ରଶଂସନୀୟ। ଏହା ଆମ ଦେଶ ତଥା ହକି ଜଗତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଭବିଷ୍ୟତର ହକି ତାରକାଙ୍କୁ ବିଶ୍ଵସ୍ତରୀୟ ମଞ୍ଚ ପ୍ରଦାନ କରୁଥିବା ଏହି ପ୍ରତିଯୋଗୀତାର ଗୁରୁତ୍ଵ I ଏଥିରୁ ଅନୁମେୟ ଯେ, ୨୦୧୬ କନିଷ୍ଠ ହକି ବିଶ୍ଵକପ ବିଜୟୀ ଦଳର ଅର୍ଦ୍ଧାଧିକ ଖେଳାଳି ଟୋକିଓ ଅଲମ୍ପିକ୍ସରେ ଦେଶ ପାଇଁ ପ୍ରତିନିଧିତ୍ଵ କରି ଐତିହାସିକ ପଦକ ଜିତିଛନ୍ତି। ୨୦୧୩ରେ ଦିଲ୍ଲୀରେ ଆୟୋଜିତ କନିଷ୍ଠ ହକି ବିଶ୍ଵକପ ଦଳର ସଦସ୍ୟ ଅମିତ ରୋହିଦାସ ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ସମୟରେ ଭାରତୀୟ ପୁରୁଷ ହକି ଦଳରେ ସ୍ଥାନ ପାଇଛନ୍ତି ଓ ବର୍ତ୍ତମାନ ସେ ଭାରତୀୟ ଦଳର ପ୍ରମୁଖ ଖେଳାଳି। ସେହିପରି ଯୁବ ପ୍ରତିଭା ଦୀପସନ ତିର୍କୀ ୨୦୧୬ ଲକ୍ଷ୍ନୌ କନିଷ୍ଠ ବିଶ୍ଵକପ ବିଜୟୀ ଭାରତୀୟ ଦଳର ଉପଅଧିନାୟକ ଥିଲେ। ଚଳିତ ବର୍ଷ କନିଷ୍ଠ ହକି ବିଶ୍ଵକପରେ ଭାଗ ନେଉଥିବା ଖେଳାଳି ମାନେ ନିଶ୍ଚୟ ନିଜ ନିଜ ଦେଶ ପାଇଁ ୨୦୨୪ ଓ ୨୦୨୮ ଅଲମ୍ପିକ୍ସରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେହି ଦୃଷ୍ଟିକୋଣରୁ ଦେଖିଲେ କରୋନାର ଆହ୍ଵାନପୂର୍ଣ୍ଣ ସମୟରେ ଏଭଳି ମହତ୍ଵପୂର୍ଣ୍ଣ ହକି ପ୍ରତିଯୋଗୀତା ଆୟୋଜନ ହେବା ହକି ଜଗତ ପାଇଁ ନିଶ୍ଚୟ ଏକ ସୁଖଦ ଅନୁଭୂତି ହେବ।

ଅଷ୍ଟ୍ରେଲିୟା, ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡ ଭଳି ପ୍ରମୁଖ ଶକ୍ତିଶାଳି ଦଳ ଏହି ବିଶ୍ଵକପରେ ଭାଗ ନେଉନଥିଲେ ମଧ୍ୟ ଜର୍ମାନୀ, ନେଦରଲାଣ୍ଡ, ଅର୍ଜେଣ୍ଟିନା, ସ୍ପେନ, କୋରିଆ ଓ ପାକିସ୍ତାନ ଭଳି ଦଳ ଏହି ବିଶ୍ଵକପକୁ ନିଶ୍ଚୟ ସଂଘର୍ଷପୂର୍ଣ୍ଣ କରିବେ। ସେହିପରି ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଇଜିପ୍ଟ, ଚିଲି ଭଳି ଅପେକ୍ଷାକୃତ ଦୁର୍ବଳ ଦଳ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିବାକୁ ଚେଷ୍ଟା କରିବେ। ଭାରତର ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନର ଯୋଗଦାନ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟକୁ ଆହୁରି ଆକର୍ଷଣୀୟ କରିବ। ତେବେ ଘରୋଇ ପରିବେଶରେ ଭାରତୀୟ ଦଳ ନିଶ୍ଚୟ ଉନ୍ନତ ପ୍ରଦର୍ଶନ କରିବ। ବାଙ୍ଗାଲୋର ସାଇ ସେଣ୍ଟରେ ଅଭ୍ୟାସ କରିଥିବା ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ପୁଣି ବିଶ୍ଵକପ ବିଜୟ କରିବ ବୋଲି ମୋର ବିଶ୍ବାସ।
କଳିଙ୍ଗ ଷ୍ଟାଡିୟମରେ ବହୁ ସଂଖ୍ୟାରେ ଦର୍ଶକଙ୍କ ବହୁଳ ଉପସ୍ଥିତି ଏଠାରେ ଆୟୋଜିତ ହେଉଥିବା ସବୁ ଆନ୍ତର୍ଜାତୀୟ ହକି ପ୍ରତିଯୋଗୀତାକୁ ସ୍ଵତନ୍ତ୍ର କରିଥାଏ। କିନ୍ତୁ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା କନିଷ୍ଠ ବିଶ୍ଵକପରେ ଦର୍ଶକଙ୍କ କୋଳାହଳ ଦେଖିବାକୁ ମିଳିବ ନାହିଁ। ହକିପ୍ରେମୀଙ୍କ ଅନୁପସ୍ଥିତିରେ ଏହି ବିଶ୍ଵକପ ଖେଳାହେବାକୁ ଥିବାରୁ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ; କିନ୍ତୁ କୋରୋନା କବଳରୁ ଖେଳାଳି ଓ ଦର୍ଶକଙ୍କୁ ରକ୍ଷା କରିବା ପାଇଁ ଏହା ହିଁ ସର୍ବୋତ୍ତମ ପଦକ୍ଷେପ। ଷ୍ଟାଡିୟମରେ ଦର୍ଶକ ଖେଳ ଦେଖିବାର ସୁଯୋଗ ପାଇବେ ନାହିଁ ସତ କିନ୍ତୁ ମୋର ବିଶ୍ବାସ ଦେଶର ଅଗଣିତ ହକିପ୍ରେମୀ ଘରେ ରହି ମ୍ୟାଚ ଗୁଡିକର ସିଧାପ୍ରସାରଣ ଦେଖିବେ ଓ ସୋସିଆଲ ମିଡିଆ ମାଧ୍ୟମରେ ଖେଳାଳିଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବେ। ବିଭିନ୍ନ ହକି ପ୍ରତିଯୋଗୀତାର ଭବ୍ୟ ଆୟୋଜନ କରି ବିଶ୍ଵ କ୍ରୀଡାଜଗତରେ ସୁନାମ ଅର୍ଜନ କରିଥିବା ଓଡ଼ିଶା, ଆଉ ଏକ ବିଶ୍ଵକପର ସଫଳ ଆୟୋଜନ କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ପଦ୍ମଶ୍ରୀ ଦିଲୀପ ତିର୍କୀ ମତପ୍ରକାଶ କରିଛନ୍ତି I