ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan): ମୁଖ୍ୟମନ୍ତ୍ରୀ

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି।

ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ । ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ। ଏହା ସମାଜର କ୍ଷତି । ଅର୍ଥନୀତିର ମଧ୍ୟ ବଡ କ୍ଷତି। ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ । ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।

csp

ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan)। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।

ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ।

ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

ବିଭିନ୍ନ ଅଣ-ସରକାରୀ ସଂଗଠନ (NGO) ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।