ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗ ଆହତ, ଜଣେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି-କନବାଗିରି ମୁଖ୍ୟ ରାସ୍ତାର ବେଥେଲ ନିକଟରେ ଗୁରୁବାର ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ରାଇକିଆ ବ୍ଲକ ପିଶେରାମା ଗ୍ରାମର ଆକାଶ ପ୍ରଧାନ (୧୮) ଏବଂ ବାନ୍ଦାବାଯୁ ଗ୍ରାମର ସୁମିତ ଦିଗାଲ (୨୨) ଓଆର୍–୦୨–ବିଡି–୫୨୨୬ ନମ୍ବର ବିଶିଷ୍ଟ ପଲ୍ସର ବାଇକରେ ରାଇକିଆ ଯାଉଥିଲେ । ସେମାନଙ୍କ ସହ ଅନ୍ୟ ଏକ ବାଇକରେ ତିନିଜଣ ସାଙ୍ଗ ମଧ୍ୟ ଯାଉଥିଲେ । ବେଥେଲ ନିକଟରେ ବାଇକର ଭାରସାମ୍ୟ ହରାଇ ଉଭୟ ରାସ୍ତାରେ ପଡ଼ିଯାଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୧୧୨ ଜରୁରୀ ସେବାକୁ ଯୋଗାଯୋଗ କରିଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ କିମ୍ବା ସମ୍ପୃକ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ଆହତଙ୍କୁ ବାଇକ୍‌ରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାଥମିକ ଚିକିତ୍ସା କରିଥିଲେ । ଆକାଶ ପ୍ରଧାନଙ୍କ ଡାହାଣ ହାତର ଆଙ୍ଗୁଠି ଭାଙ୍ଗିଯିବା ସହ ହାତ, ଗୋଡ଼ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୁମିତ ଦିଗାଲଙ୍କ ଚିକିତ୍ସା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଇଛି । ଏହି ଘଟଣା ପୁଣି ଥରେ ଦ୍ରୁତ ଗତିରେ ଗାଡ଼ି ଚଳାଇବାର ବିପଦକୁ ସାମ୍ନାକୁ ଆଣିଛି । ତେଣୁ ସଡ଼କ ନିୟମ ମାନି ସୁରକ୍ଷିତ ଗତିରେ ଯାତ୍ରା କରିବାକୁ ସାଧାରଣରେ ପରାମର୍ଶ ଦିଆଯାଉଛି ।