ଅନୁସନ୍ଧାନ ଭାରତ(ବ୍ୟୁର): ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡ଼ା) ଏବଂ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଳ୍ୟରେ ଘୁ.ଉଦୟଗିରି ବ୍ଲକର କିଲାକିଆ ଗ୍ରାମରେ ବର୍ଷାଦିନିଆ ହରଡ଼ ଚାଷ ପାଇଁ ହରଡ଼ ବିହନ ବିତରଣ ଓ କୃଷକଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଇକାର୍ଡ଼ାର ଜିଲ୍ଲା ସଂଯୋଜକ ଜ୍ଞାନ ପ୍ରକାଶ ବାରିକ ଓ ସହକାରୀ କୃଷି ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ ଯୋଗଦେଇ କୃଷକମାନଙ୍କୁ ଉନ୍ନତ ହରଡ଼ ଚାଷ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଅଧିକ ଅମଳ ପାଇଁ ଉନ୍ନତ କିସମର ବିହନ ବ୍ୟବହାର, ଧାଡ଼ିରେ ବୁଣିବା ପ୍ରଣାଳୀ, ବିହନ ବିଶୋଧନ, ସାର ପ୍ରୟୋଗ, କୀଟନାଶକ ଓ ଘାସମରା ଔଷଧର ସଠିକ ବ୍ୟବହାର ସମ୍ପର୍କରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ଗୋଷ୍ଠୀ ସଂଯୋଜକ ଚନ୍ଦ୍ରଶେଖର ପାଢ଼ୀ ଉପସ୍ଥିତ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁବିଧା ଓ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ କିଲାକିଆ ଗ୍ରାମର ପ୍ରାୟ ୪୦ ଜଣ କୃଷକଙ୍କୁ ଉନ୍ନତ କିସମର ହରଡ଼ ବିହନ ବଣ୍ଟନ କରାଯାଇଥିଲା । ଏହାସହ ବିହନ ବିଶୋଧନ ଔଷଧ, ଜୀବାଣୁସାର, ଅଣୁସାର, ଘାସମରା ଔଷଧ ଓ କୀଟନାଶକ ଔଷଧ ମଧ୍ୟ ଯୋଗାଇ ଦିଆଯିବ ବୋଲି ଇକାର୍ଡ଼ାର କ୍ଷେତ୍ର ପ୍ରତିନିଧି ପ୍ରସନ୍ନ କୁମାର ନାୟକ ସୂଚନା ଦେଇଥିଲେ ।