ଭଞ୍ଜନଗର(ନିଲୁ ବିଷୋୟୀ): ବେଆଇନ ନିଶା କାରବାରରେ ରୋକ ଲଗାଇବା ପାଇଁ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍ପିଙ୍କ କଡା ନିର୍ଦ୍ଦେଶ ରହିଛି । ତାକୁ ଦୃଷ୍ଟିରେ ରଖି ଗଞ୍ଜେଇ ଠାରୁ ଆରମ୍ଭ କରି ନିଶା କାରବାର ଉପରେ ଧରପଗଡ ଜୋରଦାର କରାଯାଇଥିବା ବେଳେ ନିଶା କାରବାର ବିରୋଧୀ ଅଭିଯାନରେ ପୁଣି ସଫଳତା ମିଳିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର ସୂଚନା ଦେଇଛନ୍ତି । ମଙ୍ଗଳବାର ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ସୋରାଦେବୀ ମନ୍ଦିର ଓ ବୁଦୁଲି ମଝିରେ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକାଇଥିଲେ । ସେମାନଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ୪୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏଥିସହ ଏହି କାରବାରରେ ସଂପୃକ୍ତି ରହିଥିବା ଅଭିଯୋଗରେ ଆଉ ଜଣକୁ ଗିରଫ କରିବା ସହ ମୋଟ ୫ ଜଣକୁ ଗିରଫ କରିବା ସହ ୪ ଟି ମୋବାଇଲ ଫୋନ, ଗୋଟିଏ କାର୍, ଗୋଟିଏ ବାଇକ ଓ ନଗଦ ୧୪ ହଜାର ୬ ଶହ ଟଙ୍କା ଜବତ କରାଯାଇ ଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏନେଇ କେସ ନମ୍ବର ୭୬୭/୨୬ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ସେ କହିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଉଁଶଲୁଣ୍ଡିର ଅମିତ୍ କୁମାର ବେହେରା, ଚଢ଼େୟାପଲ୍ଲୀର ସରୋଜ ମହାନ୍ତି, ଲଣ୍ଡାଜୁଆଳିର ମାନସ ରଞ୍ଜନ ଜେନା, କାହ୍ନୁ ଚରଣ ଜେନା ଓ ଭଞ୍ଜନଗରର ଅମୀୟ ରଞ୍ଜନ ମହାନ୍ତି । ଉକ୍ତ ମାମଲାରେ ଆଉ କିଛି ଜଣ ଫେରାର ହୋଇଥିବା ପୁଲିସ ସୂଚନା ଦେଇଛି । ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।