ସ୍ୱତନ୍ତ୍ର ଗ୍ରାମ ସଭାରେ ଜନସହଭାଗୀତାରେ ପ୍ରସ୍ତୁତ ହେବ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା…..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (GPDP) ପ୍ରସ୍ତୁତିକୁ ନେଇ ସ୍ୱତନ୍ତ୍ର ଗ୍ରାମ ସଭା ଗ୍ରେଶୀଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନଙ୍କ ନେତୃତ୍ୱରେ  ଗ୍ରେଶୀଙ୍ଗିଆ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଏହି ସଭାରେ ଗାଁ ସାଥି,  ପଞ୍ଚାୟତ ଅଧିକାରୀ, ଏଡିଓ, ବିଭିନ୍ନ ୱାର୍ଡର ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି କର୍ମୀ ସମେତ ବିଭିନ୍ନ ଗ୍ରାମବାସୀ ଅଂଶଗ୍ରହଣ ମାଧ୍ୟମରେ ଗ୍ରାମର ବିକାଶ ପାଇଁ ପ୍ରାଥମିକତା ଭିତ୍ତିକ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସଭାରେ ଗ୍ରାମର ମୌଳିକ ସମସ୍ୟା, ପାନୀୟ ଜଳ, ରାସ୍ତାଘାଟ, ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ଜୀବିକା ଏବଂ ସାମାଜିକ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ସ୍ଥାୟୀ ବିକାଶ ଲକ୍ଷ୍ୟ(SDGs)କୁ ଆଧାର କରି ସମସ୍ତଙ୍କ ମତାମତ ସଂଗ୍ରହ କରି ଆଗାମୀ ବର୍ଷର ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନାରେ ସାମିଲ କରାଯିବ ବୋଲି ଜଣାଯାଇଥିଲା । ଏହି ଅବସରରେ ଉପସ୍ଥିତ ଜନପ୍ରତିନିଧି, ପଞ୍ଚାୟତ କର୍ମଚାରୀ ଓ ଗ୍ରାମବାସୀଙ୍କୁ ଯୋଜନା ପ୍ରସ୍ତୁତିରେ ସକ୍ରିୟ ଭାବେ ସହଯୋଗ କରିବା ସହ ଗ୍ରାମର ସାମଗ୍ରିକ ବିକାଶ ପାଇଁ ନିଜ ମତାମତ ରଖିବାକୁ ଆହ୍ୱାନ କରାଯାଇଥିଲା । “ଆମ ଗାଁ, ଆମ ଯୋଜନା ଆମ ସହଭାଗ, ଆମ ବିକାଶ” ସ୍ଲୋଗାନକୁ ସାମ୍ନାରେ ରଖି ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାମ ସଭା ଗ୍ରାମ ସ୍ତରରେ ଜନସହଭାଗୀତାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି ।