୧୦ ସ୍କୁଲରେ ୧୦ରୁ କମ୍ ଛାତ୍ରଛାତ୍ରୀ: ଘୁ. ଉଦୟଗିରି ଶିକ୍ଷା ବ୍ୟବସ୍ଥାର ଚିନ୍ତାଜନକ ଚିତ୍ର, ଦୀର୍ଘ ଦିନ ଧରି ଖାଲି ପଡ଼ିଛି ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ଶିକ୍ଷା ବ୍ୟବସ୍ଥାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି । ବ୍ଲକ ଅଧୀନରେ ଥିବା ୭୨ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୧୦ଟି ବିଦ୍ୟାଳୟରେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏହା ଗ୍ରାମାଞ୍ଚଳରେ ସରକାରୀ ବିଦ୍ୟାଳୟର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ତଥ୍ୟ ଅନୁଯାୟୀ, ସୁଗାମାହା ପ୍ରାଥମିକ ବିଦ୍ୟାଳୟରେ ୬ ଜଣ, ଡମେଣ୍ଡିରେ ୬ ଜଣ, ପାଙ୍ଗାନାକୁରେ ୫ ଜଣ, ଲାବୁରିରେ ୮ ଜଣ, ଯେ ପୋଡ଼ିକିଆରେ ୭ ଜଣ, ତୁମୁସୀଙ୍ଗିଆରେ ୯ ଜଣ ଏବଂ ଗଦିଙ୍ଗିଆ, କୁନ୍ଦାନାଜୁ, ରିଶୁଗୁଡ଼ା ଓ ସାକା ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏହି ସମସ୍ତ ବିଦ୍ୟାଳୟରେ ପ୍ରାୟ ଦୁଇଜଣ ଲେଖାଏଁ ଶିକ୍ଷକ ଥିବାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କିପରି ଶିକ୍ଷାଦାନ କରାଯାଉଛି ତାହା ନେଇ ପ୍ରଶ୍ନ ଉଠୁଛି । ବିଶେଷକରି ସୁଗାମାହା ବିଦ୍ୟାଳୟରେ ମାତ୍ର ୬ ଜଣ ଛାତ୍ରଛାତ୍ରୀ ଥିବାରୁ ଏହାର ଭବିଷ୍ୟତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଅନ୍ୟପଟେ, ସରକାର ପ୍ରତ୍ୟେକ ବ୍ଲକରେ ଆବାସିକ ବିଦ୍ୟାଳୟ ସ୍ଥାପନ କରୁଥିବାରୁ ଅନେକ ଆଦିବାସୀ ଛାତ୍ରଛାତ୍ରୀ ସେଠାରେ ନାମ ଲେଖାଉଛନ୍ତି । ଫଳରେ ଗ୍ରାମାଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା କମୁଥିବା ଦେଖାଯାଉଛି । ଅନ୍ୟ କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ଅଧିକ ଥିଲେ ମଧ୍ୟ ଶିକ୍ଷକ ଅଭାବ ରହିଥିବାରୁ ପାଠପଢ଼ା ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଛି । ଏହି ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ କହିଛନ୍ତି, ୧୫ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶାଇବାର ବ୍ୟବସ୍ଥା ରହିଛି । ତେବେ ଘୁ.ଉଦୟଗିରି ବ୍ଲକ ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ । ଏହାଛଡ଼ା ଘୁ.ଉଦୟଗିରି ବ୍ଲକରେ ଦୀର୍ଘ ଦିନ ଧରି ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଛି । ପୂର୍ବରୁ ରାଇକିଆ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ ବର୍ତ୍ତମାନ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଏହି ଦାୟିତ୍ୱ ସମ୍ଭାଳୁଛନ୍ତି । ଦୀର୍ଘ ଦିନ ଧରି ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଯୁକ୍ତ ନ ହେବା ଏବଂ ଅନେକ ବିଦ୍ୟାଳୟରେ ଛାତ୍ରସଂଖ୍ୟା କ୍ରମାଗତ ଭାବେ କମୁଥିବାରୁ ବ୍ଲକର ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତକୁ ନେଇ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଉଛି । ବର୍ତ୍ତମାନ ସମୟରେ ସରକାର ଏହି ସମସ୍ୟାର ସମାଧାନ ପାଇଁ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି