କନ୍ଧମାଳ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର, ରାସ୍ତା ଅଭାବରୁ ୪ କିଲୋମିଟର ଖଟିଆରେ ବୁହା ହେଲା ମୃତଦେହ….

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ କାଂଜୁମା ଗ୍ରାମରେ ରାସ୍ତା ଅଭାବର ଏକ ହୃଦୟବିଦାରକ ଦୃସ୍ୟ ଓ କନ୍ଧମାଳ ଜିଲ୍ଲାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀମାନେ ପ୍ରାୟ ୪ କିଲୋମିଟର ଦୂର ପର୍ଯ୍ୟନ୍ତ ଖଟିଆରେ ଜଣେ ମୃତ ବ୍ୟକ୍ତିଙ୍କ ଶବ ବୋହି ନେବାକୁ ବାଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ କାଂଜୁମା ଗ୍ରାମର ୩୦ ବର୍ଷୀୟ ଇସେ ପ୍ରଧାନ ଅସୁସ୍ଥ ହେବା ପରେ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ସେଠାରେ ଚାରି ଦିନ ଧରି ଚିକିତ୍ସାଧୀନ ରହିବା ପରେ ଆଜି ସକାଳ ପ୍ରାୟ ୮ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗାଁ ନିକଟ ପର୍ଯ୍ୟନ୍ତ ଅଣାଯାଇଥିଲେ ମଧ୍ୟ ରାସ୍ତାର ଅଭାବ ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା । ଫଳରେ ଗ୍ରାମବାସୀମାନେ ମୃତଦେହକୁ ଖଟିଆରେ ରଖି ପ୍ରାୟ ୪ କିଲୋମିଟର ଦୂର ଗାଁ ପର୍ଯ୍ୟନ୍ତ ବୋହି ନେଇଥିଲେ । ଏହି ଘଟଣା ଦୁର୍ଗମ ଆଦିବାସୀ ଅଞ୍ଚଳରେ ମୌଳିକ ସୁବିଧାର ଅଭାବକୁ ପୁଣିଥରେ ପଦାରେ ପକାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗାଁର ବୃଦ୍ଧବୃଦ୍ଧାମାନେ ଭତ୍ତା ଓ ରାସନ ସାମଗ୍ରୀ ପାଇଁ ମଧ୍ୟ ପ୍ରାୟ ୪ କିଲୋମିଟର ପାଦେ ଚାଲି ଗୁମିକିଆ ପଞ୍ଚାୟତକୁ ଯିବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘ ଦିନ ଧରି ରାସ୍ତା ନିର୍ମାଣ ଦାବି ହୋଇଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ତୁରନ୍ତ କାଂଜୁମା ଗ୍ରାମକୁ ସଡ଼କ ସଂଯୋଗ ସୁନିଶ୍ଚିତ କରିବା ସହ ଅଞ୍ଚଳର ମୌଳିକ ଭିତ୍ତିଭୂମି ସୁବିଧାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।