ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ । ପୁଣି ଏକ ଦୁଃଖଦ ଘଟଣା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ରିଶୁଗୁଡ଼ା ଗ୍ରାମରେ ଘଟିଛି । ସୂଚନା ଅନୁସାରେ, ରିଶୁଗୁଡ଼ା ଗ୍ରାମର ତରୁଣ ପ୍ରଧାନ (୪୨) କିଛି ମାସ ପୂର୍ବେ ପରିବାରର ଭରଣପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ପରିବାର ପାଖରେ ପହଞ୍ଚିଛି । ତେବେ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ଅଛନ୍ତି । ସ୍ଥାନୀୟ ଅଞ୍ଚଳରେ କାମ ନ ମିଳିବାରୁ ସେ କେରଳକୁ ଯାଇଥିଲେ । ଘଟଣାର ଚାରି ଦିନ ବିତିଯାଇଥିବା ବେଳେ ପରିବାରର ଆର୍ଥିକ ଅସୁବିଧା ଯୋଗୁଁ ତାଙ୍କ ମରଶରୀରକୁ ଗାଁକୁ ଆଣିବା ସମ୍ଭବ ହୋଇନଥିଲା । ଫଳରେ କେରଳରେ ହିଁ ତାଙ୍କର ଶବ ସତ୍କାର କରାଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ରଟିଙ୍ଗିଆ ପଞ୍ଚାୟତର କଲିନାଯୁ ଗ୍ରାମର ସାଗର ପ୍ରଧାନ (୩୪) ଓ ଦାରିଙ୍ଗବାଡ଼ି ବ୍ଲକର ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ କୁନ୍ଦୁପାଙ୍ଗା ଗ୍ରାମର ବିଶୋପ ଦିଗାଲଙ୍କର ମଧ୍ୟ କେରଳରେ ଦାଦନ ଖଟୁଥିବା ସମୟରେ ମୃତ୍ୟୁ ଘଟିଥିଲା । ପରିବାର ପକ୍ଷରୁ ଶବ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଅଧିକ ଅର୍ଥ ଆବଶ୍ୟକ ହେଉଥିବା କାରଣରୁ ଶବ ଆଣିବା ସମ୍ଭବପର ହେଇ ପାରୁନାହିଁ । ବିଭିନ୍ନ ସାମାଜିକ ସଂଗଠନକୁ ଯୋଗାଯୋଗ କରାଯାଇ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କେତେ ଦୂର ସମ୍ଭବ ତାହା ଶବ ଆସିବା ପରେ ଜଣା ପଡ଼ିବ । ଗୋଟିଏ ସପ୍ତାହ ମଧ୍ୟରେ ତିନିଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ କନ୍ଧମାଳ ଜିଲ୍ଲା ପାଇଁ ଗଭୀର ଚିନ୍ତାର ବିଷୟ ପାଲଟିଛି । ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଦାଦନ ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ ପାଉଛି । ପ୍ରତି ଶୁକ୍ରବାର ରାଇକିଆରୁ ଘୁ.ଉଦୟଗିରି ଦେଇ କେରଳ ଅଭିମୁଖେ ୩-୪ ଟି ବସ୍ ଯାତାୟାତ କରୁଥିବା ବେଳେ ଶହ ଶହ ଶ୍ରମିକ ପରିବାର ସହ କାମ ସନ୍ଧାନରେ ରାଜ୍ୟ ବାହାରକୁ ଯାଉଛନ୍ତି । ସେମାନଙ୍କ ସୁରକ୍ଷା, କାର୍ଯ୍ୟ ପରିସ୍ଥିତି ଓ ସମସ୍ୟା ପ୍ରତି ସରକାରୀ ସ୍ତରରେ ଅଧିକ ଦୃଷ୍ଟି ଦେବା ସହ ଦାଦନ ପ୍ରବଣ ଅଞ୍ଚଳରେ ସ୍ଥାୟୀ ରୋଜଗାରର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।