ରାଜସ୍ଵ ଗ୍ରାମ କଳିଙ୍ଗାରେ ଅନୁଷ୍ଠିତ ହେଲା ‘ମୋ ଗାଁ ମୋ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ, ୬୬ ପରିବାର ପାଇଲେ ଜମି ପଟ୍ଟା…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ତହସିଲ ଅନ୍ତର୍ଗତ କଳିଙ୍ଗା ଅଞ୍ଚଳର କଳିଙ୍ଗା ଗ୍ରାମରେ ରାଜସ୍ବ ବିଭାଗ ତରଫରୁ ‘ମୋ ଗାଁ ମୋ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ କରାଯାଇଛି । ଏହି ଶିବିରରେ ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ରାଜସ୍ୱ ସୁପରଭାଇଜର ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କ ଆପତ୍ତି ଓ ଅଭିଯୋଗ ଶୁଣିଥିଲେ । ରାଜସ୍ୱ ନିରୀକ୍ଷକ ସଂଘମିତ୍ରା ସାହୁ ,ଏଆରଆଇ ବେଦମତି ନାୟକ, ଅମିନ ପ୍ରଭାତୀ ମଞ୍ଜରୀ ବେହେରା, ଶୁଭଶ୍ରୀ ପ୍ରଧାନ ଏବଂ ଡିଇଓ ସତ୍ୟବାନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ସ୍ୱତନ୍ତ୍ର ଶିବିର ମାଧ୍ୟମରେ କଳିଙ୍ଗା ରାଜସ୍ୱ ଗ୍ରାମର ପ୍ରାୟ ୬୬ ଜଣ ହିତାଧିକାରୀଙ୍କ ଜମି ପଟ୍ଟା ବଣ୍ଟନ କରାଯାଇଥିଲା ୧୪ ଟି ଅଭିଯୋଗର ଶୁଣାଣୀ ସହ ସରକାରୀ ଜମି ଦଖଲ କରିଥିବା ୧୧ ଟି ମାମଲାର ଶୁଣାଣି କରାଯାଇଛି । କଳିଙ୍ଗା ଅଞ୍ଚଳର ହିତାଧିକାରୀମାନଙ୍କ ଜମି ମାଲିକାନା ସତ୍ତ୍ୱକୁ ନିଜ ନାମରେ ସଂଶୋଧନ କରାଯାଇ ଆବଶ୍ୟକୀୟ ଦସ୍ତାବିଜ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଗ୍ରାମାଞ୍ଚଳର ଜନତାଙ୍କ ନିକଟକୁ ଯାଇ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।