ବେଆଇନ ମହୁଲି ମଦ ବିକ୍ରି ବନ୍ଦ୍ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଘ, ଭାଟି ଭଙ୍ଗା ନଗଲେ ଥାନା ଘେରାଉ ଚେତାବନୀ….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୋନପୁର ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ମହୁଲି ମଦ କାରବାର ବିରୋଧରେ ଏବେ ଗ୍ରାମର ମହିଳା ସଂଘ ସଂଗଠିତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି । ଗ୍ରାମାଞ୍ଚଳରେ ମଦର ବିଷାକ୍ତ ପ୍ରଭାବରୁ ପରିବାରଗୁଡ଼ିକକୁ ବଞ୍ଚାଇବା ଏବଂ ଗାଁରେ ଶାନ୍ତିପୂର୍ଣ୍ଣ ପରିବେଶ ଫେରାଇ ଆଣିବା ପାଇଁ ମହିଳାମାନେ ଅଣ୍ଟା ଭିଡ଼ି ଆଗକୁ ଆସିଛନ୍ତି । ସୋନପୁର ଗ୍ରାମରେ ବେଆଇନ ଭାବେ ଚାଲିଥିବା ମହୁଲି ମଦ ଭାଟି ଓ କାରବାର ଯୋଗୁଁ ବିଶେଷ କରି ଯୁବପିଢ଼ି ଓ ଚାଷୀମାନେ ନିଶାସକ୍ତ ହୋଇ ନିଜର ସଂସାର ଛାରଖାର କରୁଛନ୍ତି । ଏହା ଦ୍ୱାରା ନିୟମିତ ପାରିବାରିକ କଳହ, ଗଣ୍ଡଗୋଳ ଏବଂ ଗ୍ରାମର ଶାନ୍ତିଶୃଙ୍ଖଳା ଭଙ୍ଗ ହେଉଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୋନପୁର ଗ୍ରାମର ମହିଳା ସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏକାଠି ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହିଳାମାନଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ହେବ ଏମିତି ବେଆଇନ ଭାବରେ କିଛି ଲୋକ ମହୁଲି ମଦ ବିକ୍ରି କରୁଛନ୍ତି । ଏଥିପ୍ରତି ପୁଲିସ ପ୍ରଶାସନ ଜଣାଇଥିଲୁ କିନ୍ତୁ ପୁଲିସ ଆସିକି ଭାଟି ଭାଙ୍ଗୁଛନ୍ତି ଲୋକକୁ ମଧ୍ୟ ନେଇକି ଯାଉଛନ୍ତି କିନ୍ତୁ ତାଙ୍କୁ ଛାଡିଲେ ପୁଣି ରାନ୍ଧୁଛନ୍ତି । ଏଣୁ ଏଥି ପ୍ରତି ପୁଲିସ ପ୍ରଶାସନ ଜାଣିଥିଲେ ମଧ୍ୟ ତାଙ୍କ ଉପରେ କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ବେଆଇନ ମହୁଲି ମଦ ଆଡ୍ଡା ଉପରେ ତୁରନ୍ତ ଚଢ଼ାଉ କରି ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ  ଉକ୍ତ ଗାଁର ଶୈଳ ଦଣ୍ଡସେନା, ଗେଲେଇ ଦଣ୍ଡସେନା, ସରସ୍ବତୀ ଦଣ୍ଡସେନା, ଦେବକୀ ପୂଜାରୀ,ସଳିତା ମହାକୁଣ୍ଡ, ବିନିତା ବେହେରଦଳାଇ ସମେତ ଗ୍ରାମର ସମସ୍ତ ମହିଳା ପୁରୁଷମାନେ ଦୃଢ଼ ଦାବି କରିଛନ୍ତି । ଏ ନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀଙ୍କୁ ପଚାରିବାରୁ କହିଲେ ଯେ, ଆମେ ୩ ଥର ସୋନପୁର ଗ୍ରାମକୁ ଯାଇ ବେଆଇନ ମଦ ଭାଟି ଭାଙ୍ଗିବା ସହ, ଚଢ଼ାଉ କରିଛୁ କିନ୍ତୁ ବର୍ତ୍ତମାନ ମଧ୍ୟ ସେହିଭଳି ଚୋରା ମଦ ବିକ୍ରି ହେଉଛି l ତେବେ ଆମେ ଯାଇକି ନିଶ୍ଚିତ ଭାବରେ ଚଢ଼ାଉ କରିବୁ ବୋଲି କହିଛନ୍ତି । ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ ଦାବି କରିଛନ୍ତି ଯେ, ଯଦି ଆଗାମୀ ଦିନମାନଙ୍କରେ ଏହି ବେଆଇନ ମଦ ବିକ୍ରୟକାରୀଙ୍କ ଉପରେ ଯଦି ଚଢ଼ାଉ କରା ନ ଯାଏ ତେବେ ଦାରିଙ୍ଗବାଡ଼ି ଥାନା ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ।