ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଦାଦାନ ଦୁଃଖ, କେରଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା, ମୃତଦେହ ଆଣିବା ପାଇଁ ଚିନ୍ତାରେ ପରିବାର ଲୋକ….

ଦାରିଙ୍ଗବାଡି(ଅଶୋକ ସିଂ): ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଜଣେ ଦାଦାନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗୁମିକିଆ ପଞ୍ଚାୟତ ପଟାମାହା ଗ୍ରାମ କୁଡ଼ୁକାମା ପଡ଼ାର ବିଷସ୍ ଦିଗାଲ( 54) । ସୂଚନା ଅନୁଯାୟୀ ଗତ କିଛି ମାସ ହେଲା ରୋଜଗାର ଆଶାରେ ସେ କେରଳ ରାଜ୍ୟକୁ ଦାଦାନ ଖଟିବାକୁ ଯାଇଥିଲେ । ବୁଧବାର ଦିନ ସେ ଗୋଟିଏ କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି । ପ୍ରକାଶ ଯୋଗ୍ୟ ଯେ ଶ୍ରୀ ଦିଗାଲ କେରଳ ରାଜ୍ୟ ଏର୍ନାକୁଲମ୍ ଜିଲ୍ଲା କୁରପୁମ୍ପଡି ଥାନା ଅଞ୍ଚଳ ରାଇମଙ୍ଗଲମ୍ ପଞ୍ଚାୟତର ପୁଲ ବାରି ଗ୍ରାମରେ କୌଣସି ଏକ ଘରୋଇ କମ୍ପାନୀରେ କାମ କରୁ ଥିଲେ l ତାଙ୍କ ମୃତ୍ୟୁ ଖବର ପାଇବା ପରେ ସେଠାକାର ପୁଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଉକ୍ତ ଶବ କିଭଳି ନିଜ ଗ୍ରାମକୁ ପହଞ୍ଚି ପାରିବ ସେ ନେଇ ପରିବାର ବର୍ଗ ଓ  ଗ୍ରାମବାସୀ ଚିନ୍ତାରେ ଅଛନ୍ତି l ଏ ସମ୍ପର୍କରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ସମ୍ପାଦକଙ୍କୁ ଯୋଗାଯୋଗ କରିବା ପରେ ସେ କେରଳରେ କାର୍ଯ୍ୟରତ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରି ଆଣିବା ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଶବ ଆଣିବା ବ୍ୟବସ୍ଥା କରିବାରେ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ତଥା ଗ୍ରାମବାସୀ ନିବେଦନ କରିଛନ୍ତି ।