ଦାରିଙ୍ଗବାଡି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡିରେ ଗଞ୍ଜେଇର ନାମ ବାହାରୁ ନଥିଲା ଏବେ ପ୍ରତିଘରେ କଣ ଗଞ୍ଜେଇ ଚାଷ ହେଉଛି କି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ପୁଲିସ l ଗଞ୍ଜେଇ ମାଫିଆମାନେ ଦୁର୍ଗମ ଅଞ୍ଚଳରେ ଲୁଚି ରହିଥିବା ଏବେ ଚର୍ଚ୍ଚାରେ l କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରାଚାଲାଣ କେବଳ ରାଜ୍ୟ ମଧ୍ୟରେ ସୀମିତ ନ ରହି ବିଭିନ୍ନ ରାଜ୍ୟକୁ ବ୍ୟାପିଛି l ଏହି ମାମଲାରେ ମୁମ୍ବାଇ ପୁଲିସ ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦାରିଙ୍ଗବାଡି ଥାନା ଅଧୀନ ଶ୍ରାନିକେତା ଦଣ୍ଡିମା ଗ୍ରାମର ବିଦ୍ୟାଧର ନାୟକ ଏବଂ ପର୍ତ୍ତମାହା ପଞ୍ଚାୟତର ସୁଜାମାଜୁ ଗ୍ରାମର ଶ୍ରୀକାନ୍ତ ପ୍ରଧାନ । ଏନେଇ ଦାରିଙ୍ଗବାଡି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, କିଛି ଦିନ ପୂର୍ବେ ମୁମ୍ବାଇର କଲ୍ୟାଣ ରେଲୱେ ପୁଲିସ ଷ୍ଟେସନ ଅଞ୍ଚଳରୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହି ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଏହି ଗଞ୍ଜେଇ ଯୋଗାଇଥିବା ସୂଚନା ମିଳିଥିଲା । ଏହାପରେ କଲ୍ୟାଣ ରେଲୱେ ପୁଲିସ ଷ୍ଟେସନର ଆସିଷ୍ଟାଣ୍ଟ ପୁଲିସ ଇନ୍ସପେକ୍ଟର ପି.କେ.ୱାନିକଙ୍କ ନେତୃତ୍ୱରେ ଏକ ଟିମ୍ ଦାରିଙ୍ଗବାଡିରେ ପହଞ୍ଚି ସ୍ଥାନୀୟ ପୁଲିସର ସହଯୋଗରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ଉଭୟଙ୍କୁ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିଲା । ଅଦାଲତଙ୍କ ଅନୁମତିକ୍ରମେ ରିମାଣ୍ଡରେ ସେମାନଙ୍କୁ ମୁମ୍ବାଇ ପୁଲିସ ମୁମ୍ବାଇ ନେଇଯାଇଛି । ଏହି ଘଟଣାରେ ମୁମ୍ବାଇ ପୁଲିସ କେସ୍ ନମ୍ବର ୬୮୨/୨୬ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସେଠାକାର ପୁଲିସ ସୂଚନା ଦେଇଛି।