ଗାଲେରୀ ମନ୍ଦିର ଚୋରୀ ଘଟଣା,ଏସ୍‌ପିଙ୍କୁ ଫେରାଦ ହେଲା ପରିଚାଳନା କମିଟି…

ଭଞ୍ଜନଗର(ନିଲୁ ବିଷୋୟୀ): ଗତ ୪ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଁ ଗାଲେରୀ ମନ୍ଦିରରେ ହୋଇଥିବା ଚୋରୀ ଘଟଣାର ରହସ୍ୟ ଉନ୍ମୋଚନ ହୋଇନି । ଏନେଇ ମଙ୍ଗଳବାର ମନ୍ଦିରର ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିସିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଚୋରୀ ଘଟଣାକୁ ୨୦ ଦିନରୁ ଅଧିକ ବିତି ସାରିଥିଲେ ବି ପୁଲିସ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନେଇନଥିବା ସେମାନେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦେବୀଙ୍କ ପ୍ରାୟ ୪୦୦ ଗ୍ରାମର ସୁନା, ୭ କେଜି ରୂପା ଅଳଙ୍କାର ସହ ୫ ଲକ୍ଷ ଟଙ୍କା ଚୋରୀ ହୋଇଥିବା ମନ୍ଦିର ପୂଜକ କାହ୍ନୁ ଚରଣ ଶତପଥୀ ଥାନାରେ ଅଭିଯୋଗ କରିଥିଲେ । ମନ୍ଦିରରେ ଲାଗିଥିବା ସିସି କ୍ୟାମେରା ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୁତ୍ତମାନେ ଲୁଟି ନେଇଥିଲେ । ଏହାପରେ ଚୋରୀ ସାମଗ୍ରୀ ଉଦ୍ଧାର କିମ୍ବା ଅପରାଧୀଙ୍କୁ ଧରିବା ଦିଗରେ କୌଣସି ଅଗ୍ରଗତି ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଥିବା ଦୃଷ୍ଟି ଆକର୍ଷଣ କରିଥିଲେ । ତେଣୁ ଏହି ଘଟଣାକୁ ଗୁରୁତର ସହ ନେଇ ଏସ୍‌ପି ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରି ତଦନ୍ତର ସମୀକ୍ଷା କରିବା ସହ ଜଣେ ଦକ୍ଷ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ବବଧାନରେ ଏହାର ତଦନ୍ତ ତ୍ବରାନ୍ବିତ କରିବା ସହ ସ୍ବତନ୍ତ୍ର ଟିମ ଗଠନ କରାଯାଉ ବୋଲି ଏସ୍‌ପିଙ୍କ ସହ ଆଲୋଚନା କରି ଜଣାଇଛନ୍ତି । ଏହି ସମୟରେ ମନ୍ଦିର ପରିଚାଳନା କମିଟିର ପ୍ରତାପ ଚନ୍ଦ୍ର ପ୍ରଧାନ, ଶଙ୍କର୍ଷଣ ମହାରଥା, ବସନ୍ତ କୁମାର ବାଘ, ସୂର୍ଯ୍ୟ ନାରାୟଣ ଶତପଥୀ, ବିଷ୍ଣୁ ପ୍ରସାଦ ଗୌଡ, ଅବନୀ ଗୌଡ, ନିରଞ୍ଜନ ବେହେରା, କାମେଶ୍ବର ଗୌଡ, ପଦ୍ମ ଲୋଚନ ପ୍ରଧାନ, ଆଇନଜୀବୀ ସମୀର ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ପୁଲିସ କେବେ ଏହି ଘଟଣାର ରହସ୍ୟ ଉନ୍ମୋଚନ କରି ଚୋରୀ ସାମଗ୍ରୀ ଉଦ୍ଧାର କରୁଛି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।