ଦାରିଙ୍ଗବାଡ଼ି(ଅଶୋକ ସିଂ): ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ବୃକ୍ଷ ଗୁଡ଼ିକ ଉପୁଡ଼ି ପଡ଼ିବା ଓ ଭୂସ୍ଖଳନ ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଶନିବାର ଦିନ ବିଳମ୍ୱିତ ରାତ୍ରିରେ ଲଘୁଚାପ ଜନିତ ବର୍ଷା ପ୍ରଭାରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ ପ୍ରଭାବିତ ହୋଇଛି । ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲି ନିକଟରେ ବିରାଟକାୟ ଗଛ ଉପୁଡି ପଡିବା ଦ୍ବାରା ଗଣ୍ଡିଗୁଡା ଠାରୁ ପାଙ୍ଗାଲି ଦେଇ ତିଲୋରୀକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଗଛଟି ୧୧ କେଭି ବିଦ୍ୟୁତ୍ ତାର ଉପରେ ପଡ଼ିବାରୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯିବା ଫଳରେ ପାଙ୍ଗାଲି ଗ୍ରାମକୁ ବିଦ୍ୟୁତ ସେବା ଅଚଳ ହୋଇପଡ଼ି ଥିବା ସୂଚନା ମିଳିଛି । ଏନେଇ ତିଲୋରୀ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନ ଦାରିଙ୍ଗବାଡି ବିଦ୍ୟୁତ ବିଭଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିବା ରୁ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି । ଏହି ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ତୁରନ୍ତ ରାସ୍ତା ଉପରେ ପଡ଼ିଥିବା ଗଛକୁ ହଟାଇ ରାସ୍ତା ସଫା କରିବା ସହ ବିଦ୍ୟୁତ ସରୋବରହକୁ ସଜାଡ଼ିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।