ରାତ୍ରିରେ ଶିକ୍ଷକଙ୍କ ବାସଭବନରୁ ନାଗସାପ ଉଦ୍ଧାର…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ କ୍ୱାର୍ଟରରୁ ସୋମବାର ଦିନ ରାତ୍ରି ପ୍ରାୟ ୧୧ଟା ସମୟରେ ଏକ ନାଗସାପ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ନରୋତ୍ତମ ନାୟକ ଓ ମହେଶ୍ୱର ବେହେରା ଦୁହେଁ ସାଙ୍ଗ ହୋଇ ପୁରୁଣା ଏସ ଆଇ କ୍ୱାର୍ଟରରେ ରୁହନ୍ତି l ରାତ୍ରି ପ୍ରାୟ ୧୦ଟା ସମୟରେ ଉଭୟେ ଖାଇବା ପରେ ମହେଶ୍ୱର ବାହାରେ ମୋବାଇଲରେ ବ୍ୟସ୍ତ ଥିବା ବେଳେ ନରୋତ୍ତମ ଖଟରେ ବିଶ୍ରାମ ନେଉଥିଲେ l କଡ ଲେଉଟାଇବା ବେଳେ ରୁମ୍ ଭିତରେ ହଠାତ୍ ସାପ ଦେଖି ମହେଶ୍ୱରଙ୍କୁ ଡାକ ପକାଇ ଥିଲେ ତେବେ ଡାକ ଶୁଣି ସାପଟି ଖଟ ଭିତରେ ଥିବା ଇଟାର କୋଣକୁ ଚାଲିଯାଇଥିଲା l ଏହି ଅଞ୍ଚଳରେ ସ୍ନେକ୍ ହେଲ୍ପ ଲାଇନ୍ ନଥିବାରୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କୁ ସୂଚନା ଦିଆ ଯାଇ ଥିଲା l  ପରେ ସେ ଝିଞ୍ଜୀରିଗୁଡା ସ୍ଥିତ ରୁନା ପ୍ରଧାନୀଙ୍କୁ ଯୋଗାଯୋଗ କରିବାକୁ କହିଥିଲେ l ରୁନା ଆସିବା ପରେ ଏକ ବାଉଁଶ ବାଡ଼ି ସାହାଯ୍ୟରେ ଅତି ସହଜରେ ଉକ୍ତ ସାପକୁ କାବୁ କରି ଏକ ବ୍ୟାଗରେ ଭର୍ତ୍ତି କରି ଗ୍ରାମ ଠାରୁ ଦୂର ଏକ ଜଙ୍ଗଲରେ ଛାଡ଼ି ଥିବା ଜଣା ପଡ଼ିଛି । ରୁନାଙ୍କ ଏହି ସାହସ ଓ ସାପ ଧରିବା କୌଶଳ ପାଇଁ ସମସ୍ତେ ସାଧୁବାଦ ଜଣାଇଛନ୍ତି । ତେବେ ସାପ ଧରିବା ଯନ୍ତ୍ରାଂଶ ନଥିବା ହେତୁ ସେ ଜୀବନକୁ ବାଜି ଲଗାଇ ସାପ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି ।