ଘୁ.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରର ବିକଳ ଚିତ୍ର: ଜଣେ ଡାକ୍ତରଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସେବା, ୧୪ ଜଣ ଡାକ୍ତର ନିୟୋଜିତ ଥାଇ ମଧ୍ୟ ଅଧିକାଂଶ ସମୟରେ ମିଳୁନି ଦେଖା…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳବାସୀଙ୍କ ଏକମାତ୍ର ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ଘୁ. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ର । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଘୁ.ଉଦୟଗିରି ସମେତ ଆଖପାଖ ଅଞ୍ଚଳର ୫୦ ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ହେଲେ ଏଠାରେ ଡାକ୍ତର ଥାଇ ମଧ୍ୟ ନିୟମିତ ଭାବେ ରୋଗୀଙ୍କୁ ଚିକିତ୍ସା ମିଳୁନଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ, ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୪ ଜଣ ଡାକ୍ତର ରହିଥିବା କୁହାଯାଉଥିଲେ ମଧ୍ୟ ନିୟମିତ ଭାବେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସଂଖ୍ୟା ଖୁବ୍ କମ୍ । ଅଞ୍ଚଳବାସୀଙ୍କ କହିବା ଅନୁସାରେ, ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାୟ ପ୍ରତିଦିନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ରହି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ ଉପରେ ହିଁ ଅଧିକାଂଶ ରୋଗୀ ଭରସା କରୁଥିବା ଦେଖାଯାଉଛି । ପ୍ରତିଦିନ ସେ ୨୦୦ରୁ ଅଧିକ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଜଣାପଡ଼ିଛି । ଅନ୍ୟପଟେ, ନୂଆ ଡାକ୍ତରମାନଙ୍କ ମଧ୍ୟରୁ ବେଳେବେଳେ ଜଣେ କିମ୍ବା ଦୁଇଜଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ରହୁଥିଲେ ମଧ୍ୟ ଅଧିକାଂଶ ରୋଗୀ ସେମାନଙ୍କ ପାଖକୁ ଚିକିତ୍ସା ପାଇଁ ଯାଉନଥିବା ଅଭିଯୋଗ ହେଉଛି । ଦୀର୍ଘଦିନ ଧରି ଡାକ୍ତର ଅଶୋକ କୁମାର ପ୍ରଧାନଙ୍କୁ ନିୟମିତ ଭାବେ ଦେଖି ଆସୁଥିବାରୁ ଲୋକେ ତାଙ୍କୁ ହିଁ ନିୟମିତ ଡାକ୍ତର ଭାବେ ବିଶ୍ୱାସ କରୁଥିବା କୁହାଯାଉଛି । ସେହିପରି, ଡାକ୍ତର ଗୋଲକ ବିହାରୀ ବିଶ୍ୱାଳ ମଧ୍ୟ ଜଣେ ପୁରୁଣା ଡାକ୍ତର ହୋଇଥିଲେ ମଧ୍ୟ ସେ ନିୟମିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଯାଉନଥିବା ଅଭିଯୋଗ ଅଂଚଳ ବାସୀ ଅଭିଯୋଗ କରିଛନ୍ତି । ସପ୍ତାହକୁ ମାତ୍ର ଥରେ କିମ୍ବା ଦୁଇଥର ବିଭିନ୍ନ ସିଫ୍ଟରେ ସେ ଦେଖାଯାଉଥିବା ଅଞ୍ଚଳବାସୀ କହିଛନ୍ତି । ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ରତିକାନ୍ତ ସାହୁ ରୋଗୀ ଦେଖିବା ଅପେକ୍ଷା କାର୍ଯ୍ୟାଳୟ କାମରେ ଅଧିକ ସମୟ ଦେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଅନ୍ୟାନ୍ୟ ସୁବିଧା ଥିବା ସତ୍ତ୍ୱେ ମଧ୍ୟ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳୁନଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷକରି ଦକ୍ଷ ଓ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଅନେକ ଗୁରୁତର ରୋଗୀଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କିମ୍ବା ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରାଯାଉଛି । ଏହା ଫଳରେ ଦୂରଦୂରାନ୍ତରୁ ଆସୁଥିବା ଗରିବ ଓ ସାଧାରଣ ରୋଗୀମାନେ ଅଧିକ ଖର୍ଚ୍ଚ ଓ ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ୫୦ ହଜାରରୁ ଅଧିକ ଲୋକଙ୍କ ଚିକିତ୍ସାର ଭରସା ଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ଡାକ୍ତର ନିୟମିତ ଭାବେ ଉପସ୍ଥିତ ରହି ରୋଗୀ ସେବା କରିବା ସହ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଡାକ୍ତର ଓ ସୁବିଧା ଥାଇ ମଧ୍ୟ ରୋଗୀଙ୍କ ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନ ଥିଲା ଭଳି ହୋଇ ରହିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ଯଦି ସରକାର ଏଥିପ୍ରତି ଗୁରୁତ୍ବ ନ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ମଧ୍ୟ ସଜବାଜ ହେଉଥିବା ସୁଚନା ମିଳିଛି l