ଅନୁସନ୍ଧାନ ଭାରତ(ବ୍ୟୁର): ଦିଲ୍ଲୀର ଜନ୍ତର ମନ୍ତରଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଘୁ.ଉଦୟଗିରି ଭୀମ ଆର୍ମି ପକ୍ଷରୁ ରାଲି ମାଧ୍ୟମରେ ସମର୍ଥନ ଜଣାଯାଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ପରୀକ୍ଷା ପରିଚାଳନାରେ ଦାୟିତ୍ୱବୋଧ ନିଶ୍ଚିତ କରିବା ଦାବିରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଭୀମ ଆର୍ମି ପକ୍ଷରୁ ଏହାକୁ ସମର୍ଥନ କରାଯାଇଛି । ଏହି ଅବସରରେ ଭୀମ ଆର୍ମିର କର୍ମକର୍ତ୍ତା ଓ ସମର୍ଥକମାନେ ଏକତ୍ରିତ ହୋଇ ଛାତ୍ରମାନଙ୍କ ଦାବିକୁ ସମର୍ଥନ କରିଥିଲେ । ଆନ୍ଦୋଳନକାରୀଙ୍କ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଘୁ.ଉଦୟଗିରି ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ନିମ୍ନଲିଖିତ ୫ଟି ପ୍ରମୁଖ ଦାବି ରଖାଯାଇଛି ।
୧. କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦାୟିତ୍ୱ ସ୍ୱୀକାର କରି ତୁରନ୍ତ ଇସ୍ତଫା ଦିଅନ୍ତୁ ।
୨. ଆନ୍ଦୋଳନ ସମ୍ପର୍କିତ ପରିସ୍ଥିତିରେ ଜୀବନ ହରାଇଥିବା ପ୍ରତ୍ୟେକ ଛାତ୍ରଙ୍କ ପରିବାରକୁ ₹୧ କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯାଉ ।

୩. ସଂସଦରେ ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଉ ।
୪. ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ରମାନଙ୍କ ବିରୋଧରେ କୌଣସି ପ୍ରକାରର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆନଯାଉ ।
୫. ଶିକ୍ଷା ମାଫିଆ ଏବଂ ପ୍ରଶ୍ନପତ୍ର ଲିକ୍ ଗ୍ୟାଙ୍ଗ୍ଗୁଡ଼ିକ ବିରୋଧରେ କଠୋର ଓ ସମୟବଦ୍ଧ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯାଉ । ଭୀମ ଆର୍ମି ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାର ଗୁରୁତ୍ୱର ସହ ପଦକ୍ଷେପ ନେବା ଆବଶ୍ୟକ । ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ଭୀମ ଆର୍ମି ସଂଗଠନ ସଭାପତି ସୁରେନ୍ଦ୍ର ପ୍ରଧାନ, ଉପସଭାପତି ହେରଦ ଦିଗାଲ, ସମ୍ପାଦକ ହନକ ଦିଗାଲ, ଯୁଗ୍ମ ସମ୍ପାଦକ ଦିଲ୍ଲୀପ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୀବ ଦିଗାଲ, ଜିଲ୍ଲା ସମ୍ପାଦକ ସୁଶୀଲ ପ୍ରଧାନ, ଶେଖର ଦିଗାଲ, କଳିଙ୍ଗିଆ ସରପଞ୍ଚ ବକ୍ସି ମଲ୍ଲିକ, ମାଉଣ୍ଟ କର୍ମେଲ ପ୍ରିନ୍ସିପାଲ ଓ ସମସ୍ତ ଷ୍ଟାଫ, ଅରୁଣ ପ୍ରଧାନ, ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମିଶନ ଶକ୍ତି ସଭାପତି ଶ୍ରୀମତୀ କୁମୁଦିନୀ ନାୟକ, କଲେଜ ଛାତ୍ରଛାତ୍ରୀଙ୍କ ସମେତ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।