ଯୋଗୀମାରୀ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଚାରି ଆହତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଯୋଗିମାରୀ ଗ୍ରାମ ନିକଟ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହ ଉଭୟ ଗାଡିର ୪ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବେଲଗୁଣ୍ଠା ଥାନା ଅଧିନ ପନ୍ତିଖାରି ଗ୍ରାମର ସନ୍ତୋଷ କୁମାର ଗୌଡ(୪୫) । ସନ୍ତୋଷ ନିଜ ପତ୍ନୀ ସାବିତ୍ରୀ ଓ ଝିଅ ରାଜଲକ୍ଷ୍ମୀକୁ ସାଙ୍ଗରେ ନେଇ ଶ୍ବଶୁର ଘର ବାହାଡପଦରକୁ ଆସିଥିଲେ । ସେଠାରୁ କାମ ସାରି ସନ୍ଧ୍ୟା ସମୟରେ ବାଇକରେ ନିଜ ଗାଁକୁ ଫେରୁଥିବା ସମୟରେ ବାଟରେ ଯୋଗୀମାରୀ ଗ୍ରାମର ପରେ ରହିଥିବା ଏକ ବୁଲାଣି ଠାରେ ବିପରୀତ ଦିଗରୁ ଆସୁଥିବା ସାନକୋଦଣ୍ଡାର ଚନ୍ଦ୍ରକାନ୍ତ ସ୍ବାଇଁ ଓ ଜିତେନ୍ଦ୍ର ପ୍ରଧାନ ମୁହାଁମୁହିଁ ଧକ୍କା ଦେଇଥିଲେ । ଫଳରେ ଉଭୟ ଗାଡିରୁ ସମସ୍ତେ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଏହାପରେ ସ୍ଥାନୀୟ ଲୋକ ଉଦ୍ଧାର କରି ଅଟୋ ଓ ଆମ୍ବୁଲାନ୍ସ୍‌ ସହାୟତାରେ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିବା ବେଳେ ଝିଅର ଡାହାଣ ଗୋଡ ଭାଙ୍ଗିବା ସହ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ ବିପରୀତ ଦିଗରୁ ଆସୁଥିବା ବ୍ୟକ୍ତିମାନେ ମଦ୍ୟପାନ କରିଥିବା ଯୋଗୁ ଏଭଳି ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି । ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ପୁଲିସ ଘଟଣାସ୍ଥଳରୁ ବାଇକ ଜବତ କରିବା ସହ ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।